EducationFeaturedLatestNews

ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ: ପାସ୍ ହାର ୫୬.୨୩%

ଭୁବନେଶ୍ୱର (ସଂକେତ ଟିଭି): ମାଧ୍ୟମିକ ଶିକ୍ଷା ପରିଷଦ (BSE) ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାର ଫଳାଫଳ ଆଜି ପ୍ରକାଶ ପାଇଛି । ବୋର୍ଡ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି ।

ଚଳିତ ବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷାରେ ୩,୪୫୭ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ, ଯେଉଁମାନଙ୍କ ମଧ୍ୟରୁ ୧,୯୪୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ପାସ୍ ହାର ୫୬.୨୩% ରହିଛି । ଗ୍ରେଡ୍ ଅନୁସାରେ, ଏ-୨ ଗ୍ରେଡ୍ରେ ୩ ଜଣ, ବି-୧ରେ ୧୪ ଜଣ, ବି-୨ରେ ୩୯ ଜଣ, ସିରେ ୧୧୩ ଜଣ, ଡିରେ ୨୭୬ ଜଣ ଏବଂ ଇ ଗ୍ରେଡ୍ରେ ୫୨୩ ଜଣ ଛାତ୍ରଛାତ୍ରୀ ସଫଳ ହୋଇଛନ୍ତି ।

ଓପନ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ୫୫.୨୬% ପାସ୍ ହାର ରହିଛି । ଏଥିରେ ୫,୯୭୩ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଗ୍ରେଡ୍ ବିଭାଗରେ, ଏ-୨ରେ ୧୩ ଜଣ, ବି-୧ରେ ୨୩୨ ଜଣ, ବି-୨ରେ ୭୨୩ ଜଣ, ସିରେ ୧,୭୩୮ ଜଣ, ଡିରେ ୨,୦୭୫ ଜଣ ଏବଂ ଇ ଗ୍ରେଡ୍ରେ ୧,୧୯୨ ଜଣ ସଫଳ ହୋଇଛନ୍ତି ।

ପରୀକ୍ଷାର୍ଥୀମାନେ ଅପରାହ୍ନ ୨ଟା ପରେ www.bseodisha.ac.in ୱେବସାଇଟ୍ରେ ନିଜ ଫଳ ଯାଞ୍ଚ କରିପାରିବେ । ଏହା ବ୍ୟତୀତ, ମୋବାଇଲରେ ୦୧୦୨୧୦ ଲେଖି ନିଜ ରୋଲ୍ ନମ୍ବର ସହିତ ୫୬୭୬୭୩୦କୁ ଏସଏମଏସ୍ ପଠାଇ ଫଳ ପ୍ରାପ୍ତ କରିପାରିବେ ।

ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ ଜଣାଇଛନ୍ତି ଯେ, ସପ୍ଲିମେଣ୍ଟାରୀ ଓ ଓପନ ସ୍କୁଲ ପରୀକ୍ଷାର୍ଥୀମାନେ SAMS ୱେବସାଇଟ୍ରେ ଦ୍ୱିତୀୟ ନାମଲେଖା ପାଇଁ ଆବେଦନ କରିପାରିବେ ।

ଏଥିପାଇଁ ରାଜ୍ୟର ୯୩ଟି ପରୀକ୍ଷା କେନ୍ଦ୍ରରେ ସପ୍ଲିମେଣ୍ଟାରୀ ପରୀକ୍ଷା ଏବଂ ୧୦୩ଟି କେନ୍ଦ୍ରରେ ଓପନ ସ୍କୁଲ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହି ପରୀକ୍ଷାଗୁଡ଼ିକ ଜୁନ୍ ୩୦ରୁ ଜୁଲାଇ ୭ ମଧ୍ୟରେ ନିଆଯାଇଥିଲା ।