ପ୍ରଶ୍ନପତ୍ର ଲିକ୍ ଯୋଗୁଁ ସ୍ପେଶାଲ OTET ପରୀକ୍ଷା ପୁଣି ସ୍ଥଗିତ
ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତା ୩୧ ଅଗଷ୍ଟରେ ଅନୁଷ୍ଠିତ ହେବାକୁ ଥିବା ସ୍ପେଶାଲ OTET (ଓଡିଶା ଟିଚର୍ ଏଲିଜିବିଲିଟି ଟେସ୍ଟ) ପରୀକ୍ଷା ପୁଣି ଥରେ ସ୍ଥଗିତ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ପରୀକ୍ଷା ସ୍ଥଗିତ ରଖାଯିବାର ସୂଚନା ଦିଆଯାଇଛି।
ବୋର୍ଡ ପକ୍ଷରୁ ଦିଆଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଅନିବାର୍ଯ୍ୟ କାରଣଯୋଗୁଁ ପରୀକ୍ଷାଟିକୁ ସ୍ଥଗିତ କରାଯାଇଛି। ଖୁବ ଶୀଘ୍ର ହିଁ ପରୀକ୍ଷାର ନୂତନ ତାରିଖ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି।
ଉଲ୍ଲେଖ୍ୟ, ଗତ ୧ ଅଗଷ୍ଟରେ ବୋର୍ଡ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ୩୧ ଅଗଷ୍ଟରେ ସ୍ପେଶାଲ OTET ପରୀକ୍ଷା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଘୋଷଣା କରାଯାଇଥିଲା। ପରୀକ୍ଷାଟି ଦୁଇଟି ସିଟିଂରେ ନିଆଯିବାର ନକ୍ସା ଥିଲା; ସକାଳ ୯ଟାରୁ ୧୧ଟା ୩୦ ମିନିଟ୍ ଯାଏଁ ପେପର-୧ ଏବଂ ପୂର୍ବାହ୍ନ ୨ଟାରୁ ୪ଟା ୩୦ ମିନିଟ୍ ଯାଏଁ ପେପର-୨ ପରୀକ୍ଷା ହେବାର ଥିଲା। ପ୍ରଶ୍ନପତ୍ର ଲିକ୍ ହେବାର ଘଟଣାକୁ ଯୁକ୍ତି ଦର୍ଶାଇ ପୂର୍ବରୁ ମଧ୍ୟ ଏହି ପରୀକ୍ଷାକୁ ବାତିଲ କରାଯାଇଥିଲା।
