FeaturedLatestNews

ନବୀନଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ରାଜ୍ୟପାଳ ହରିବାବୁ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟପାଳ ରାଘବ ସୁବାଷ ହରିବାବୁ କମ୍ଭମପାଟି ଆଜି ବିରୋଧୀ ଦଳର ନେତା ଏବଂ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ତାଙ୍କ ନିବାସ ସ୍ଥଳୀ ‘ନବୀନ ନିବାସ’ରେ ଭେଟିଛନ୍ତି। ଏହି ଭେଟରେ ରାଜ୍ୟପାଳ ଶ୍ରୀ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବିସ୍ତାରିତ ଭାବରେ ପଚାରାପଚରି କରି ଜାଣିବାକୁ ଚେଷ୍ଟା କରିଛନ୍ତି।

ରାଜ୍ୟପାଳ ତାଙ୍କ ସହିତ ନେଇଥିବା ଫଳର ଏକ ଟୋକେଇ ମଧ୍ୟ ଶ୍ରୀ ପଟ୍ଟନାୟକଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି। ଏହି ଭେଟ ସମୟରେ ଉଭୟ ନେତା ପ୍ରାୟ ୨୦ ମିନିଟ୍ ଧରି ଆଲୋଚନା କରିଥିଲେ। ତାହାପରେ ରାଜ୍ୟପାଳ ନବୀନ ନିବାସରୁ ବିଦାୟ ନେଇଛନ୍ତି।

ଉଲ୍ଲେଖ୍ୟ, ଗତ ୧୭ ମାର୍ଚ୍ଚରେ ଡିହାଇଡ୍ରେସନ୍ ଯୋଗୁଁ ଶ୍ରୀ ପଟ୍ଟନାୟକଙ୍କୁ ସମ୍ ଅଲ୍ଟିମେଟ୍ ମେଡିକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଚିକିତ୍ସା ପରେ ଗୃହରେ ରଖାଯାଇଛି। ତାଙ୍କ ଅସୁସ୍ଥତା ବିଷୟରେ ଜାଣିବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଦି ନେତା ତାଙ୍କୁ ଦ୍ରୁତ ସୁସ୍ଥ ହେବାକୁ କାମନା କରିଛନ୍ତି।