ଚୀନରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ମୋଦି
ନୂଆଦିଲ୍ଲୀ:(ସଂକେତ ଟିଭି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭ ବର୍ଷ ପରେ ପ୍ରଥମ ଥର ପାଇଁ ଚାଇନା ଗସ୍ତରେ ଯାଇଛନ୍ତି। ରବିବାର ସକାଳେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ତାଙ୍କର ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଏସ୍ସିଓ (SCO) ବୈଠକରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି।
ତିଆନଜିନଠାରେ ଅନୁଷ୍ଠିତ ଦ୍ୱିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଭାରତ-ଚାଇନା ସମ୍ପର୍କ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଗତ ବର୍ଷ କାଜାନରେ ଆମର ଏକ ଅତ୍ୟନ୍ତ ଅର୍ଥ ପୂର୍ଣ୍ଣ ଆଲୋଚନା ହୋଇଥିଲା, ଯାହା ଆମ ସମ୍ପର୍କକୁ ଏକ ସକାରାତ୍ମକ ଦିଗଦର୍ଶନ ଦେଇଥିଲା। ସୀମାରେ ଉତ୍ତେଜନା ହ୍ରାସ ପରେ ଶାନ୍ତି ଏବଂ ସ୍ଥିରତାର ପରିବେଶ ସୃଷ୍ଟି ହୋଇଛି।”
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ସୀମା ପରିଚାଳନା ସମ୍ପର୍କରେ ଆମର ବିଶେଷ ପ୍ରତିନିଧିଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଛି। କୈଳାସ ମାନସରୋବର ଯାତ୍ରା ପୁଣି ଥରେ ଆରମ୍ଭ ହୋଇଛି। ଉଭୟ ଦେଶ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ମଧ୍ୟ ପୁନଃ ଆରମ୍ଭ ହୋଇଛି। ଉଭୟ ଦେଶର ୨.୮ ବିଲିୟନ ଲୋକଙ୍କ ସ୍ୱାର୍ଥ ଆମ ସହଯୋଗ ସହିତ ଜଡ଼ିତ। ଏହା ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ମଧ୍ୟ ପଥ ପ୍ରଶସ୍ତ କରିବ। ପାରସ୍ପରିକ ବିଶ୍ୱାସ, ସମ୍ମାନ ଏବଂ ସମ୍ବେଦନଶୀଳତା ଆଧାରରେ ଆମ ସମ୍ପର୍କକୁ ଆଗକୁ ନେବା ପାଇଁ ଆମେ ପ୍ରତିବଦ୍ଧ।”
ପ୍ରଧାନମନ୍ତ୍ରୀଙ୍କ ଏହି ଦ୍ୱିପାକ୍ଷିକ ଆଲୋଚନାରୁ ଅନୁମାନ କରାଯାଇପାରେ ଯେ, ୨୦୨୦ ଜୁନ୍ରେ ଗାଲୱାନ ଉପତ୍ୟକାରେ ସଂଘର୍ଷ ପରେ ଉତ୍ତେଜିତ ହୋଇଥିବା ଭାରତ-ଚାଇନା ସମ୍ପର୍କ ପୁଣି ଥରେ ଟ୍ରାକକୁ ଫେରିବା ପାଇଁ ପ୍ରୟାସ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଚାଇନା ଗସ୍ତ ପୂର୍ବରୁ ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଏହି ମାସ ଆରମ୍ଭରେ ଦିଲ୍ଲୀରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଆଲୋଚନା କରିଥିଲେ।
ଏହି ଏସ୍ସିଓ ବୈଠକର ପୃଷ୍ଠଭୂମିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ (୫୦%), ଚାଇନା (୩୦%), କାଜାଖସ୍ତାନ (୨୫%) ଏବଂ ଅନ୍ୟାନ୍ୟ SCO ଦେଶଗୁଡ଼ିକ ଉପରେ ଅଧିକ ଶୁଳ୍କ ଲାଗୁ କରିଛନ୍ତି। ଏପରି ପରିସ୍ଥିତିରେ ଏହି ବୈଠକରେ ଶୁଳ୍କ ନୀତି ଉପରେ ମଧ୍ୟ ଆଲୋଚନା ହୋଇପାରେ ବୋଲି ବିଶ୍ୱାସ କରାଯାଉଛି।