EducationFeaturedLatestNews

ଆତ୍ମହତ୍ୟା ରୋକିବାକୁ ‘ଜୀବନ ଜିନ୍ଦାବାଦ’ କାର୍ଯ୍ୟକ୍ରମ, ସେପ୍ଟେମ୍ବର ୧୦ରେ ଆରମ୍ଭ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଲଗାତାର ବିଭିନ୍ନ ବୟସ୍କ ବର୍ଗର ଲୋକଙ୍କ, ବିଶେଷକରି କଲେଜରେ ଯୁବବର୍ଗଙ୍କ ଆତ୍ମହତ୍ୟା ଘଟଣା ରୋକିବା ପାଇଁ ସରକାର ପକ୍ଷରୁ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇଛି। ଏଭଳି ଦୁର୍ଘଟଣା ରୋକିବାକୁ ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।

ବୈଠକରେ ମୁଖ୍ୟ ଶାସନ ସଚିବ, ପୂଲିସ ଡିଜି, ଉଚ୍ଚଶିକ୍ଷା ବିଭାଗର ସଚିବ ଏବଂ ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ଏଭଳି ଅଭାବନୀୟ ଘଟଣା ରୋକିବା ପାଇଁ ଜିଲା ହେଡକ୍ବାର୍ଟରରେ ‘ଜୀବନ ଜିନ୍ଦାବାଦ’ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୦ ତାରିଖରୁ ଆରମ୍ଭ ହେବ, ଯେଉଁଥିରେ କଲେଜ, ସ୍କୁଲ ଛାତ୍ରଛାତ୍ରୀ ଏବଂ ଯୁବବର୍ଗମାନେ ସାମିଲ ହେବେ। ୭୦ରୁ ଅଧିକ କଳାକାର ମଧ୍ୟ ଏଥିରେ ଯୋଗ ଦେବେ। ମହିଳା ଶିଶୁ ବିକାଶ ବିଭାଗ, ଗୃହ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହା ଆୟୋଜିତ ହେବ।

ଏହି ଅବସରରେ ବାଣୀବିହାର ଘଟଣାକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, “ଏ ନେଇ କୁଳପତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଣଛାତ୍ର ହୁଅନ୍ତୁ କିମ୍ବା ଶୈକ୍ଷିକ ବାତାବରଣ ରଖୁ ନଥିବା ଯେ କୌଣସି ବ୍ୟକ୍ତି ବିଶେଷ ହୁଅନ୍ତୁ, ସେମାନଙ୍କ ଉପରେ ବିଧି ଅନୁସାରେ, ବିଶ୍ୱବିଦ୍ୟାଳୟର ନିୟମ ଅନୁସାରେ ଯାହା ଆବଶ୍ୟକ ତାହା କରାଯିବ।”

ରାଜ୍ୟରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ମଧ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, “ସରକାର ପୂର୍ବରୁ ବି କହି ସାରିଛନ୍ତି, ସେହି ଅନୁଯାୟୀ ଆମେ ବି ସକାରାତ୍ମକ ଅଛୁ।”