ପ୍ରକଳ୍ପଗୁଡ଼ିକ ସମୟସୀମାରେ ଶେଷ କରିବାକୁ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ
ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟର ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକ ଠିକ୍ ସମୟରେ ଶେଷ ହେବା ପାଇଁ ବିଭାଗଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ରଖିବାକୁ ରାଜ୍ୟପାଳ ଶ୍ରୀ କମ୍ଭମପାଟି ହରିବାବୁ ଗୁରୁତ୍ୱାରୋପ କରିଛନ୍ତି।
ଆଜି ରାଜଭବନରେ ଜାତୀୟ ରାଜପଥ ପ୍ରାଧିକରଣ, ଜାତୀୟ ରାଜପଥ, ବିମାନ ଚଳାଚଳ ଏବଂ ରେଳବାଇର ବିଭିନ୍ନ ପ୍ରକଳ୍ପର ସ୍ଥିତି ସମ୍ପର୍କରେ ରାଜ୍ୟପାଳ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ, ରାଜ୍ୟପାଳଙ୍କ ସଚିବ ରୂପା ରୋଶନ ସାହୁ, ଏନ୍ଏଚ୍ଏଆଇର ଆଞ୍ଚଳିକ ଅଧିକାରୀ ବୀରେନ୍ଦ୍ର ସିଂହ, ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ପରମେଶ୍ୱର ଫଙ୍କୱାଲ, ଭୁବନେଶ୍ୱର ବିମାନବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।
ରାଜ୍ୟରେ ହେଲିପୋର୍ଟ ନିର୍ମାଣ ପାଇଁ ହୋଇଥିବା ଯୋଜନାକୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି। ପିପିପି ମୋଡ୍ରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଦୁଇରୁ ତିନିଟି ସ୍ଥାନରେ ହେଲିପୋର୍ଟ ଆରମ୍ଭ କରାଯିବ। ବନ୍ଦରଗୁଡ଼ିକରେ ଗ୍ରିନ୍ଫିଲ୍ଡ ଟର୍ମିନାଲ ପରିବର୍ତ୍ତେ କ୍ରୁଜ୍ ଟର୍ମିନାଲ୍ ବିକାଶ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। ତାଙ୍କୁ ସରକାରୀ ପଲିଟେକନିକ୍ ଏବଂ ଆଇଟିଆଇରେ ଡ୍ରାଇଭିଂ ତାଲିମ ପାଠ୍ୟକ୍ରମ ଆରମ୍ଭ କରିବାକୁ ମଧ୍ୟ କହିଛନ୍ତି।
ଏଥିସହ ରାଜ୍ୟପାଳ ଭୁବନେଶ୍ୱର ରେଳଷ୍ଟେସନ୍ ଏବଂ ଅନ୍ୟାନ୍ୟ ଷ୍ଟେସନଗୁଡ଼ିକର ପୁନର୍ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି ଏବଂ ଏହାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
