ସୃଷ୍ଟି ହେଉଛି ଆଉ ଏକ ଘୁର୍ଣ୍ଣିବଳୟ, ବର୍ଷାରେ ଦଶହରା ଭିଜିବା ସମ୍ଭାବନା
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ବର୍ଷା ସ୍ଥିତିକୁ ନେଇ ଭାରତୀୟ ପାଣିପାଗ ବିଭାଗର ଡି.ଜି. ଡ. ମୃତ୍ୟୁଞ୍ଜୟ ମହାପାତ୍ର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆସନ୍ତା ୨୦ ସେପ୍ଟେମ୍ବର ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଆଜିର ସ୍ଥିତିରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ। ଲଘୁଚାପ ଯୋଗୁଁ ଗତ ଦୁଇ ଦିନ ଧରି ହୋଇଆସୁଥିବା ବର୍ଷା ଧିରେ ଧିରେ କମିବ। ଏହି ଲଘୁଚାପ ଏବେ ଉତ୍ତର ତେଲେଙ୍ଗାନା ଓ ବିଦର୍ଭ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି, ଯାହାଯୋଗୁଁ ଓଡ଼ିଶାରେ ବର୍ଷାର ପରିମାଣ କମିବ।
ପାର୍ବଣ ଉତ୍ସବ ସମୟରେ ବର୍ଷା ହେବ କି ନାହିଁ, ସେ ବିଷୟରେ ଡ. ମହାପାତ୍ର କହିଛନ୍ତି ଯେ ଏବେଠୁ ତାହା ଆକଳନ କରିହେବ ନାହିଁ। ତାଙ୍କ ମତରେ, ବର୍ତ୍ତମାନ କୌଣସି ବାତ୍ୟା କିମ୍ବା ଅବପାତ ସୃଷ୍ଟି ହେବାର ସମ୍ଭାବନା ନାହିଁ। ଓଡ଼ିଶାରୁ ମୌସୁମୀ ବର୍ଷା ଏବେ ଯିବ ନାହିଁ। ଘୂର୍ଣ୍ଣିବଳୟ ନିକଟତର ହେଲେ ପରିସ୍ଥିତି ସ୍ପଷ୍ଟ ହୋଇପାରିବ ବୋଲି ପାଣିପାଗ ବିଭାଗ କହିଛି।
ଅକ୍ଟୋବର ମାସ ଆସିବା ସହିତ ଓଡ଼ିଶା ଉପରେ ବାତ୍ୟା ଆସିବାର ଆଶଙ୍କା ବଢ଼ିଛି। ପାଣିପାଗ ବିଭାଗ ଡିଜି ସୂଚନା ଦେଇ କହିଛନ୍ତି ଯେ ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ ବଙ୍ଗୋପ ସାଗରରେ ଅଧିକ ବାତ୍ୟା ସୃଷ୍ଟି ହୋଇଥାଏ। ପ୍ରତିବର୍ଷ ଏହି ସମୟରେ ବଙ୍ଗୋପସାଗର ଏବଂ ଆରବ ସାଗରରେ ସାଧାରଣତଃ ୫ଟି ବାତ୍ୟା ସୃଷ୍ଟି ହୁଏ, ଯାହାର ମଧ୍ୟରୁ ୩ଟି ଅକ୍ଟୋବରରୁ ଡିସେମ୍ବରରେ ହୋଇଥାଏ। ମାତ୍ର ଏବର୍ଷ ଏଯାଏଁ କୌଣସି ବାତ୍ୟା ସୃଷ୍ଟି ହୋଇନାହିଁ, ତଥାପି ଆଗାମୀ ମାସଗୁଡ଼ିକରେ ବାତ୍ୟା ସୃଷ୍ଟିର ଆଶଙ୍କାକୁ ଅଣଦେଖା କରାଯାଇପାରିବ ନାହିଁ।
ପ୍ରଶାନ୍ତ ମହାସାଗରରେ ଲା-ନିନା ସୃଷ୍ଟି ହେଲେ ତାହାର ପ୍ରଭାବ ବଙ୍ଗୋପସାଗର ଉପରେ ପଡ଼ିଥାଏ ଏବଂ ଏହା ବାତ୍ୟା ସୃଷ୍ଟିରେ ସହାୟକ ହୋଇଥାଏ। ଏବେ ଯାଏଁ ଲା-ନିନା ସୃଷ୍ଟି ହୋଇନାହିଁ, ମାତ୍ର ଯଦି ଏହା ସୃଷ୍ଟି ହୁଏ, ତେବେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟିର ସମ୍ଭାବନା ରହିବ। କେବେ କିଏଁଠି ବାତ୍ୟା ସୃଷ୍ଟି ହେବ, ତାହା ଏବେଠୁ କହିହେବ ନାହିଁ। ଆଇଏମ୍ଡି ଲୋକଙ୍କୁ ଗୁଜବରେ ବିଶ୍ୱାସ ନ କରିବାକୁ କହି ସରକାରୀ ସୂଚନା ଉପରେ ଭରସା କରିବାକୁ ପରାମର୍ଶ ଦେଇଛି।
ବର୍ତ୍ତମାନ ମୌସୁମୀ ବିଦାୟ ନେବା ପ୍ରକ୍ରିୟା ଆରମ୍ଭ ହୋଇଛି। ପଶ୍ଚିମ ରାଜସ୍ଥାନରୁ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି। ଏହି ସମୟରେ ଓଡ଼ିଶାରେ ଲଘୁଚାପ ପ୍ରଭାବରେ ଆଜି ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ସମସ୍ତ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ଡି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ସତର୍କତା ଜାରି ରହିଛି।
ଆସନ୍ତାକାଲି ମଧ୍ୟ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ସହିତ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି, ଯାହାଦ୍ୱାରା ପାଣିପାଗ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ ଓ ସଜାଗ ରହିବାକୁ କୁହାଯାଇଛି।
