FeaturedLatestNewsPolitics

ବିରୋଧୀଙ୍କ ହଟ୍ଟଗୋଳରେ ଗୃହ ଅଚଳ, ସାର ସଙ୍କଟ ଆଲୋଚନା ବାତିଲ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ସାର ସଙ୍କଟ ନେଇ ବିଧାନସଭାରେ ଶୁକ୍ରବାର ଅପରାହ୍ନରେ ମଧ୍ୟ ହଟ୍ଟଗୋଳ ଚାଲିଥିଲା । ଏଥିପାଇଁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଥିଲେ । ପୂର୍ବାହ୍ନରେ ମାତ୍ର ୪ ମିନିଟ୍ ଚାଲିଥିବା ଗୃହର ଅପରାହ୍ନ ସେଶନ୍ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଗୃହ ଆରମ୍ଭରୁ ହିଁ ବିରୋଧୀ ବିଜେଡି ସଦସ୍ୟମାନେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ । ପ୍ରଶ୍ନକାଳରେ ରାଜ୍ୟରେ ସାରର ଅଭାବ ପ୍ରସଙ୍ଗରେ ଗୃହର ମଧ୍ୟଭାଗରେ ବିଜେଡି ସଦସ୍ୟମାନେ ହୋହଲ୍ଲା କରିଥିଲେ । ଚାଷୀଙ୍କୁ ଆବଶ୍ୟକ ପରିମାଣରେ ସାର ଯୋଗାଇବା ଆମର ଦାବି ବୋଲି ବିଜେଡି ସଦସ୍ୟମାନେ କହିଥିଲେ । ସେମାନେ ନାରାବାଜି କରିବା ସହ ପ୍ଲାକାର୍ଡ ଧରି ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ । ବାଚସ୍ପତି ବିଧାୟକଙ୍କୁ ପ୍ରଶ୍ନୋତ୍ତରରେ ସହଯୋଗ କରିବାକୁ ଅନୁରୋଧ କରିବା ସତ୍ତ୍ବେ ବିଜେଡି ସଦସ୍ୟମାନେ ନାରାବାଜି ଏବଂ ହଟ୍ଟଗୋଳ ଜାରି ରଖିଥିଲେ ।

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଲେ, “ପ୍ରଶ୍ନକାଳ ବାତିଲ କରି ସାର ସମସ୍ୟା ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଛି ବିଜେଡି । ଆବଶ୍ୟକୀୟ ସାର ମିଳୁନଥିବାରୁ ଚାଷୀ ମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଛନ୍ତି । ରାଜ୍ୟରେ ଚାଷୀଙ୍କ ସଂଖ୍ୟା ୬୦ ଭାଗ, ତେଣୁ ଚାଷୀଙ୍କ ସମସ୍ୟା ବାବଦରେ ଆଲୋଚନା ପାଇଁ ଆମେ ଦାବି କରିଥିଲୁ । କିନ୍ତୁ ବାଚସ୍ପତି ଅନ୍ୟ କାର୍ଯ୍ୟକ୍ରମ ଆରମ୍ଭ କଲେ ।” ତାଙ୍କ ମତରେ, କଂଗ୍ରେସ ଦ୍ଵାରା ଦିଆଯାଇଥିବା ମୁଲତବୀ ପ୍ରସ୍ତାବରେ ଆଲୋଚନା ହୋଇପାରିଥାନ୍ତା । ବିଜେଡି ଏଥିପାଇଁ ଆଗାମୀ ଦିନଗୁଡ଼ିକରେ ଗୃହ ଚଳାଇବାକୁ ଦେବନାହିଁ ବୋଲି ଚେତାବନୀ ଦେଇଛି ।

ବିଜେପି ବିଧାୟକ ଅଗସ୍ତି ବେହେରା ଏହାକୁ ବିଜେଡିର “ମାଇଲେଜ୍ ଷ୍ଟଣ୍ଟ” ଆଖ୍ୟାନ ଦେଇ କଡ଼ା କାଉଣ୍ଟର କରିଛନ୍ତି । ତାଙ୍କ ମତରେ, “କଂଗ୍ରେସ ମୁଲତବୀ ପ୍ରସ୍ତାବ ଦେଇଥିଲା, ଆଲୋଚନା ହୋଇଥାନ୍ତା । ହେଲେ ବିଜେଡି ହଟ୍ଟଗୋଳ କରି ଆଲୋଚନା କରାଇ ଦେଲାନି ।”

ଅନ୍ୟ ପକ୍ଷରେ, ଗୃହ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି ଯେ ବିଜେପି ଓ ବିଜେଡି ମିଳିତ ଭାବରେ ଗୃହକୁ ବନ୍ଦ କରିଛନ୍ତି । ତାଙ୍କ ମତରେ, “ଲୋକଙ୍କ ଟ୍ୟାକ୍ସରେ ବିଧାନସଭା ଚାଲୁଛି । କିନ୍ତୁ ଆଲୋଚନା ନକରି ଗୃହ ବନ୍ଦ କରିବା ଦୁର୍ଭାଗ୍ୟଜନକ ।” ଶନିବାର ଦିନ ସକାଳ ୧୦ଟା ଯାଏଁ ଗୃହ ମୁଲତବୀ ରଖାଯାଇଛି ।