ଜିଏସଟି ୨.୦ ଲାଗୁ: ଅନେକ ଦୈନନ୍ଦିନ ଜିନିଷ ହେଲା ଶସ୍ତା
ନୂଆଦିଲ୍ଲୀ (ସଂକେତ ଟିଭି): ଦେଶରେ ଆଜିଠୁ ନୂତନ ଜିଏସଟି (ଜିଏସଟି ୨.୦) ହାର ଲାଗୁ ହୋଇଛି। ଜିଏସଟି କାଉନ୍ସିଲ୍ର ନିଷ୍ପତ୍ତି ଅନୁଯାୟୀ, ପୂର୍ବରୁ ଚାଳୁ ଥିବା ଚାରୋଟି ଟିକସ ସ୍ଲାବ୍ ମଧ୍ୟରୁ ଦୁଇଟି ସ୍ଲାବ୍ ଅର୍ଥାତ୍ ୧୨% ଏବଂ ୨୮% ଟିକସ ସ୍ଲାବ୍ ହଟାଇ ଦିଆଯାଇଛି। ବର୍ତ୍ତମାନ ମୁଖ୍ୟତଃ ୫% ଏବଂ ୧୮% ଟିକସ ସ୍ଲାବ୍ ଲାଗୁ ହେବ, ଯାହା ୯୯% ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ପ୍ରଯୁଜ୍ୟ ହେବ।
ନୂଆ ନିୟମ ଅନୁଯାୟୀ, ଜୀବନ ବୀମା, ସ୍ୱାସ୍ଥ୍ୟ ବୀମା, ଛେନା, ପନୀର, ରୁଟି, ପିଜ୍ଜା ବ୍ରେଡ, ପାଉଡର କ୍ଷୀର, ପରଟା, ମ୍ୟାପ୍, ଚାର୍ଟ, ଗ୍ଲୋବ, ପେନସିଲ୍, ଖାତା, ବହି ଏବଂ ରବର ଭଳି ଜିନିଷଗୁଡ଼ିକ ଉପରେ ଆଉ କୌଣସି ଜିଏସଟି ଲାଗୁ ହେବ ନାହିଁ।
ଅନେକ ଘରୋଇ ଉତ୍ପାଦ, ଯେଉଁଥିରେ ପୂର୍ବେ ୧୨% ଟିକସ ଲାଗୁ ହେଉଥିଲା, ସେଗୁଡ଼ିକୁ ଏବେ ୫% ଟିକସ ସ୍ଲାବ୍ରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ତାଲିକାରେ କେଶ ତେଲ, ଟଏଲେଟ୍ ସାବୁନ୍, ସାମ୍ପୁ, ଟୁଥବ୍ରସ୍, ଟୁଥପେଷ୍ଟ, ସାଇକେଲ, ରୋଷେଇ ଘରର ସାମଗ୍ରୀ, ନମକିନ, ଭୁଜିଆ, ସସ୍, ପାସ୍ତା, ଚକୋଲେଟ୍, କଫି, ନୁଡଲ୍ସ, ଘିଅ, ଲହୁଣି, ସିଲେଇ ମେସିନ ଓ ତାହାର ପାର୍ଟସ୍, ନ୍ୟାପକିନ୍, କ୍ଲିନିକାଲ ଡାଇପର, ଛୋଟ ପିଲାଙ୍କ କ୍ଷୀର ବୋତଲ, ଟ୍ରାକ୍ଟର, ଟ୍ରାକ୍ଟର ଟାୟାର ଓ ପାର୍ଟସ୍ ଆଦି ଅନେକ ଜିନିଷ ରହିଛନ୍ତି।
ଏଥିସହିତ, କୃଷି କ୍ଷେତ୍ରରେ ବ୍ୟବହୃତ ନିର୍ଦ୍ଦିଷ୍ଟ ଜୈବିକ ସାର ଓ ଯନ୍ତ୍ରପାତି, ଥର୍ମୋମିଟର, ଡାକ୍ତରଖାନାରେ ବ୍ୟବହୃତ ଅକ୍ସିଜେନ୍, ଡାଇଗ୍ନୋଷ୍ଟିକ୍ କିଟ୍, ଗ୍ଲୁକୋମିଟର ଏବଂ ଜୀବନରକ୍ଷାକାରୀ ଔଷଧ ଆଦି ଉପରେ ମଧ୍ୟ ଟିକସ ହ୍ରାସ କରାଯାଇଛି ବା ସମ୍ପୂର୍ଣ୍ଣ ମାଫ୍ କରାଯାଇଛି। ଏହି ପରିବର୍ତ୍ତନ ଦ୍ୱାରା ଜନସାଧାରଣଙ୍କ ଉପରେ ଥିବା ଟିକସ ଭାର ଉଲ୍ଲେଖନୀୟ ଭାବରେ ହ୍ରାସ ପାଇବ ବୋଲି ଆଶା କରାଯାଉଛି।
