କାନ୍ଥ ଭାଙ୍ଗି ପିତା-ମାତାଙ୍କ ମୃତ୍ୟୁ, ଝିଅ ଗୁରୁତର
ବାଲେଶ୍ବର (ସଂକେତ ଟିଭି): ବସ୍ତା ଥାନା ଅନ୍ତର୍ଗତ ମହାଦେବସରାଇ ଗ୍ରାମରେ ଏକ ମର୍ମାନ୍ତକ ଘଟଣାରେ ଘରର କାନ୍ଥ ଭାଙ୍ଗି ପଡ଼ିବା ଫଳରେ ଜଣେ ପୁରୁଷ ଓ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି ଏବଂ ତାଙ୍କ ଝିଅ ଓ ଦୁଇ ପୁଅ ଆହତ ହୋଇଛନ୍ତି। ଘଟଣାଟି ସୋମବାର ଭୋର ସମୟରେ ଘଟିଥିଲା।
ଘଟଣାସ୍ଥଳରେ ପିତା ପିଥ ମୁର୍ମୁ (୩୮) ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ସ୍ତ୍ରୀ ମିନତି ମୁର୍ମୁ (୩୫) ଗୁରୁତର ଭାବରେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ବସ୍ତା ଡାକ୍ତରଖାନାକୁ ନିଆଯାଇଥିଲା । ରାସ୍ତାରେ ରେଳ ଫାଟକ ପଡ଼ିରହିବା ଯୋଗୁଁ ଆମ୍ବୁଲାନ୍ସ ଡାକ୍ତରଖାନାରେ ପହଂଚିବାରେ ବିଳମ୍ବ ହେବାରେ ମିନତିଙ୍କର ଆମ୍ବୁଲାନ୍ସରେ ମୃତ୍ୟୁ ହୋଇଥିଲା। ଆହତ ଝିଅ ଲକ୍ଷ୍ମୀ (୧୨)ଙ୍କ ସ୍ଥିତି ସଙ୍କଟାପନ୍ନ ହୋଇଥିବାରୁ ତାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ଦୁଇ ପୁଅ ଅଳ୍ପ ଆହତ ହୋଇଛନ୍ତି।
ଖବର ପାଇବାମାତ୍ରେ ବସ୍ତା ଥାନା ଅଧିକାରୀ ରଞ୍ଜିତ କୁମାର ସାହୁ, ଉପଖଣ୍ଡ ପୁଲିସ ଅଧିକାରୀ ମାନସ କୁମାର ଦେଓ ଏବଂ ତହସିଲଦାର ସୁଶାନ୍ତ କୁମାର ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ପର୍ଯ୍ୟବେକ୍ଷଣ କରିଥିଲେ। ତହସିଲଦାର ଶ୍ରୀ ପଟ୍ଟନାୟକ ରେଡ୍ କ୍ରସ୍ ପାଣ୍ଠିରୁ ଶୋକାର୍ତ୍ତ ପରିବାରକୁ କୋଡ଼ିଏ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ।
