ସୋର ରେଳଷ୍ଟେସନରେ ଜନଶତାବ୍ଦୀ ଓ ଶତାବ୍ଦୀ ମଧ୍ୟରେ ଘଟିଥାନ୍ତା ବାହାନଗା ଭଳି ଦୁର୍ଘଟଣା
ବାଲେଶ୍ୱର (ସଂକେତ ଟିଭି): ବାଲେଶ୍ବର ଜିଲ୍ଲା ସୋର ରେଳଷ୍ଟେସନରେ ବାହାନଗା ଭଳି ଏକ ବଡ଼ ଦୁର୍ଘଟଣା ଘଟିବାର ଅଳ୍ପକେ ଟଳିଗଲା । ଏହି ଘଟଣାରେ ଦୁଇଟି ଟ୍ରେନ ଜଡିତ ଥିଲେ ହେଁ, ସମୟୋଚିତ ନିଷ୍ପତ୍ତି ଯୋଗୁଁ ଏକ ବଡ ଧରଣର ଦୁର୍ଘଟଣା ଘଟିବାରୁ ରୋକା ଯାଇପାରିଛି ।
ସୂଚନା ଅନୁଯାୟୀ, ଗତକାଲି ସଂଧ୍ୟା ୫ଟା ୩୬ ମିନିଟରେ ହାୱଡା-ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ ସୋର ଷ୍ଟେସନରେ ପହଞ୍ଚିଥିଲା ଏବଂ ୫ଟା ୪୬ ମିନିଟରେ ଛାଡିବାର କ୍ରମ ଥିଲା । ସେହି ସମୟରେ ହାୱଡାରୁ ପୁରୀ ଅଭିମୁଖେ ଯାଉଥିବା ଅନ୍ୟ ଏକ ଶତାବ୍ଦୀ ଏକ୍ସପ୍ରେସ ଗ୍ରୀନ ସିଗନାଲ ନପାଇ ମନ୍ଥର ଗତିରେ ଆସୁଥିଲା ।
ଘଟଣାଟିର ମୁଖ୍ୟ କାରଣ ଭାବରେ ଲୋକୋ ପାଇଲଟଙ୍କ ଅସାବଧାନତାକୁ ଚିହ୍ନଟ କରାଯାଇଛି । ରିପୋର୍ଟ ଅନୁଯାୟୀ, ସେମାନେ ହାୱଡା ଜନ ଶତାବ୍ଦୀ ଏକ୍ସପ୍ରେସକୁ ସୋର ଷ୍ଟେସନରୁ ଆଗକୁ ଗଡାଇଦେଇଥିଲେ । ଏହି କାର୍ଯ୍ୟଦ୍ୱାରା ପୂର୍ବରୁ ପାଇଥିବା ସିଗନାଲଟି ରେଡ଼ ଲାଇଟରେ ପରିଣତ ହୋଇଥିଲା, ଯାହା ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲା ।
ଏହି ସଙ୍କଟପୂର୍ଣ୍ଣ ପରିସ୍ଥିତିକୁ ଚିନ୍ତା କରି ରେଳ କର୍ମଚାରୀଙ୍କ ଦ୍ୱାରା ହାୱଡା ଜନ ଶତାବ୍ଦୀକୁ ସୋର ଷ୍ଟେସନ ଛାଡ଼ିବାର ନିର୍ଦ୍ଦେଶ ଦିଆଗଲା ଏବଂ ପୁରୀ ଅଭିମୁଖୀ ଶତାବ୍ଦୀ ଏକ୍ସପ୍ରେସକୁ ପରବର୍ତ୍ତୀ ସ୍ଟେସନ ମାର୍କୋଣାରେ ଛାଡିବାକୁ ବ୍ୟବସ୍ଥା କରାଗଲା । ଏହି ଦ୍ରୁତ ନିଷ୍ପତ୍ତି ଯୋଗୁଁ ବଡ଼ ଧରଣର ଦୁର୍ଘଟଣା ଟଳିଗଲା ।
ଘଟଣାର ତଦନ୍ତ ଉଦ୍ଦେଶ୍ୟରେ ମାର୍କୋଣା ଷ୍ଟେସନରେ ଉକ୍ତ ଟ୍ରେନର ଡ୍ରାଇଭର, ଅତିରିକ୍ତ ଡ୍ରାଇଭର ଏବଂ ଗାର୍ଡଙ୍କୁ ତାୟୀ କରାଯାଇଛି । ଘଟଣା ସ୍ଥଳୀରେ ପହଞ୍ଚିଥିବା ରେଳବାଇ ଉଚ୍ଚ ପଦାଧିକାରୀ ଏହି ୩ ଜଣ କର୍ମଚାରୀଙ୍କଠାରୁ ପ୍ରମୁଖ ପଚରାଉଚୁରା ଚାଲିଛି ।
