FeaturedLatestNews

ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା, ୮ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (ସଂକେତ ଟିଭି): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି ଏବଂ ଏହା ଉତ୍ତର ଓ ପଶ୍ଚିମ ଆଡ଼କୁ ଗତି କରୁଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ, ଏହା ଆସନ୍ତାକାଲି ସକାଳ ସୁଦ୍ଧା ଅବପାତରେ ପରିଣତ ହୋଇପାରେ। ଅବପାତ ରୂପେ ଏହା ଆଗାମୀ ୩ ଘଣ୍ଟା ମଧ୍ୟରେ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ଏହାର ପ୍ରଭାବରେ ଆଜିଠୁ ରାଜ୍ୟରେ ବଡ଼ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାରା ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ଏବଂ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ଯେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି। ବିଶେଷ କରି ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି ଓ ଗଞ୍ଜାମ—ଏହି ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଲଘୁଚାପଟି ଅବପାତରେ ପରିଣତ ହେବା ପରେ ମଧ୍ୟ ରାଜ୍ୟରେ ଏହାର ପ୍ରଭାବ ରହିବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ ଏବଂ ଗଜପତି ଜିଲ୍ଲାରେ ଅତି ପ୍ରବଳ ବର୍ଷା (ଅରେଞ୍ଜ ୱାର୍ଣ୍ଣିଂ) ହୋଇପାରେ ବୋଲି ସତର୍କତା ଜାରି ରହିଛି। ଏହି ଅଞ୍ଚଳଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହିତ ୪୦ରୁ ୫୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ଅଛି।

ସେହିପରି, ଆସନ୍ତାକାଲି ଅର୍ଥାତ୍ ୨ ତାରିଖରେ ମଧ୍ୟ ରାଜ୍ୟର ଅନ୍ୟ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେଉଁଝର, ବାଲେଶ୍ଵର, ମୟୂରଭଞ୍ଜ, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ନୟାଗଡ଼ ଏବଂ ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର କିଛି ସ୍ଥାନରେ ମେଘ ଗଜ୍ଜନ ସହିତ ପ୍ରବଳ ବର୍ଷା ଏବଂ ୪୦ରୁ ୫୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ରହିଛି।