FeaturedLatestNews

ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର (ସଂକେତ ଟିଭି): ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଦକ୍ଷିଣ ଓଡିଶାର ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ବିପର୍ଯ୍ୟୟପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି ଏବଂ ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ଅବରୋଧ ହୋଇଯାଇଛି।

କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ଅଞ୍ଚଳରେ ଜାତୀୟ ରାଜପଥ ଉପରେ ୫ ଫୁଟ୍ ପାଣି ପ୍ରବାହିତ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିରେ ଏକ ଅଟୋ ଉପରେ ବିଶାଳ ଗଛ ଉପୁଡ଼ି ପଡ଼ିବାରୁ ଯାନଟି ଚୁରମାର ହୋଇଯାଇଛି। ମାଲକାନଗିରି ଜିଲ୍ଲାର ସିଲେରୁ ନଦୀର ଜଳସ୍ରୋତ ଜଣେ ବ୍ୟକ୍ତିଙ୍କୁ ଭସାଇ ନେଇଛି।

ଗଜପତି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେଉଛି। ଆର. ଉଦୟଗିରି ଏବଂ ଖଜୁରୀପଡ଼ା ମଧ୍ୟବର୍ତ୍ତୀ ଜାତୀୟ ରାଜପଥ ୩୨୬-ଏ ଉପରେ ବିପଦପୂର୍ଣ୍ଣ ଭାବେ ପାଣି ପ୍ରବାହିତ ହେଉଛି। ଅନେକ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଯାଇଥିବାରୁ ଗାଡ଼ିମାନ ଅଟକି ରହିଛନ୍ତି। ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଛେଲାଗଡ଼ ଗ୍ରାମପଞ୍ଚାୟତରେ ରାସ୍ତା ଏବଂ କଲଭର୍ଟ ଉଭୟ ଭାସିଯାଇଛି।

ମୋହନା ବ୍ଲକ୍ ଅନ୍ତର୍ଗତ ଗୁରୁଙ୍ଗମ ଅଞ୍ଚଳର ପାଜିଗୁଡ଼ି ଗ୍ରାମ ନିକଟରେ ପାହାଡ଼ରୁ ମାଟି ଖସି ପଡ଼ିବା ଫଳରେ ରାସ୍ତା ଅବରୋଧ ହୋଇଛି। ମୋହନାର ଲେଡବନ୍ଧ ବ୍ରିଜ୍ ଉପରେ ତିନି ଫୁଟ୍ ପାଣି ପ୍ରବାହିତ ହେଉଛି। ଏହି ଜାତୀୟ ରାଜପଥ ୩୨୬ ମାଲକାନଗିରି, ଜୟପୁର, ରାୟଗଡ଼ା ଓ ବ୍ରହ୍ମପୁରକୁ ଭୁବନେଶ୍ୱର ସହିତ ସଂଯୋଗ କରୁଥିବାରୁ ଏହାର ଅବରୋଧ ଯୋଗୁଁ ଯାତାୟତ ପୂର୍ଣ୍ଣରୂପେ ବାଧାପ୍ରାପ୍ତ ହୋଇଛି ଏବଂ ଲୋକଙ୍କୁ ଗମ୍ଭୀର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।