FeaturedLatestNewsPolitics

ନୂଆପଡା ରାଜନୀତିରେ ନୂଆ ସମୀକରଣ: ବିଜେପିରେ ଯୋଗଦେଲେ ଜୟ ଢୋଲକିଆ

ଭୂବନେଶ୍ବର (ସଂକେତ ଟିଭି): ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିର ଉଷ୍ଣତା ବୃଦ୍ଧି ପାଇଛି। ସ୍ବର୍ଗତ ବିଧାୟକ ରାଜେନ୍ଦ୍ର ଢେଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେବି ସିଂହଦେଓ, ସଭାପତି ମନମୋହନ ସାମଲ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡା, ଜୟନାରାୟଣ ମିଶ୍ର ଏବଂ ଅନ୍ୟ ଦଳୀୟ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି।

ବିଜେଡିର ପଦଯାତ୍ରାରେ ଜୟ ଢେଲକିଆଙ୍କୁ ଦେଖିବାକୁ ମିଳି ନଥିବାରୁ ତାଙ୍କ ବିଜେପି ଆଡ଼କୁ ଢଳିବାର ଆଶଙ୍କା ସୃଷ୍ଟି ହୋଇଥିଲା। ଚର୍ଚ୍ଚା ଅନୁସାରେ, ନୂଆଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନେତୃତ୍ଵଙ୍କୁ ଦେଖା କରିଥିବା ଜୟଙ୍କୁ ବିଜେପି ପ୍ରାର୍ଥୀ କରିବା ପ୍ରାୟ ନିଶ୍ଚିତ। ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି ଯେ ଜୟ ଢେଲକିଆ ବିଜେପି ପ୍ରାର୍ଥୀ ହେଲେ ନୂଆପଡ଼ାର ଅଙ୍କ ଓଲଟପାଲଟ ହୋଇଯିବ ଏବଂ ବିଜେପିର ବିଜୟ ସହଜସାଧ୍ୟ ହୋଇଯିବ, ଯାହା ବିଜେଡି ପାଇଁ ଏକ ବଡ଼ ମୁଣ୍ଡବ୍ୟଥା ସବୁବେଳେ ଲାଗି ରହିବ।

ଜୟ ଢେଲକିଆ ଓ ତାଙ୍କ ପରିବାରର କେତେକ ସଦସ୍ୟଙ୍କର ଗୁଜୁରାଟର ସୁରଟରେ ବ୍ୟବସାୟ ରହିଛି। ଗୁଜୁରାଟରେ ଦୀର୍ଘ ୨୫ ବର୍ଷରୁ ଅଧିକ ସମୟ ଧରି ବିଜେପି ସରକାର ରହିଛି ଏବଂ ଏହି ସରକାରଠାରୁ ସେମାନେ ଲାଭ ଉଠାଇଛନ୍ତି ବୋଲି କୁହାଯାଏ। ଏଣୁ ଜୟ ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା ପାଇଁ ଅଧିକ ଆଗ୍ରହୀ। ତାଙ୍କ ସମର୍ଥକମାନେ ବିଚାର କରୁଛନ୍ତି ଯେ ଓଡ଼ିଶାରେ ବିଜେପି ସରକାର ରହିଛି ଏବଂ ଯଦି ଜୟ ବିଜେପିରେ ଯୋଗ ଦେଇ ଟିକେଟ୍ ହାତେଇବାରେ ସଫଳ ହୁଅନ୍ତି, ତେବେ ତାଙ୍କର ବିଜୟ ସହଜସାଧ୍ୟ ହେବ।

ଏଣେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ୟକ୍ତିଗତ ଭାବେ ନୂଆପଡ଼ା ଯାଇ ସ୍ବର୍ଗତ ରାଜେନ୍ଦ୍ର ଢେଲକିଆଙ୍କ ପତ୍ନୀ କଳ୍ପନା ଢେଲକିଆ, ପୁଅ ଜୟ ଢେଲକିଆ ଓ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଖରିଆର୍‌ ରୋଡ୍‌ ରାଜ୍ୟ ପଣ୍ୟାଗାର ପରିସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜେନ୍ଦ୍ର ଢେଲକିଆଙ୍କ ବିୟୋଗରେ ନୂଆପଡ଼ା ଜିଲ୍ଲାବାସୀ ଜଣେ ଭଲ ନେତାଙ୍କୁ ହରାଇଛନ୍ତି। ତାଙ୍କ ଅବର୍ତ୍ତମାନରେ ମଧ୍ୟ ଜିଲ୍ଲାର ବିକାଶ ପ୍ରକ୍ରିୟା ଜାରି ରହିବ ଏବଂ ଜିଲ୍ଲାବାସୀଙ୍କ ଦାୟିତ୍ଵ ସେ ନେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ରାଜେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମାଝୀ କହିଛନ୍ତି, “ସେ ମୋର ଜଣେ ଭଲ ବନ୍ଧୁ ଥିଲେ। ତାଙ୍କର ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଥାଇପାରନ୍ତି, କିନ୍ତୁ ରାଜନୈତିକ ଶତ୍ରୁ କେହି ନଥିଲେ।”