ଝାରସୁଗୁଡ଼ା ରେଳଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ, ରେଳ ଚଳାଚଳ ବ୍ୟାହତ
ଝାରସୁଗୁଡ଼ା (ସଂକେତ ଟିଭି) : ଝାରସୁଗୁଡ଼ା ରେଳଷ୍ଟେସନରେ ଆଜି ସକାଳୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପ୍ରାୟ ୧୧ଟା ବେଳେ ଷ୍ଟେସନ ପରିସରରେ ଥିବା ଚାମ୍ବର ନିକଟରେ ଇଲେକ୍ଟ୍ରିକ୍ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ବେଳେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା।
ଅଗ୍ନିଶମ ବାହିନୀ ସୂଚନା ପାଇ ତତକ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ନିୟନ୍ତ୍ରଣରେ ଲାଗି ପଡିଥିଲେ। ଘଟଣା ପରେ ଷ୍ଟେସନ ପରିସରରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା। ଘଟଣାସ୍ଥଳରେ ଆରପିଏଫ୍, ଜିଆରପି ଏବଂ ଝାରସୁଗୁଡ଼ା ପୋଲିସ୍ ପହଞ୍ଚି ସ୍ଥିତି ନିୟନ୍ତ୍ରଣରେ ଲାଗିଥିଲେ।
ଏହି ଅଗ୍ନିକାଣ୍ଡରେ ଷ୍ଟେସନ ମାଷ୍ଟର କାର୍ଯ୍ୟାଳୟ, ଡିଟିସି ଚାମ୍ବର, ଟିକେଟ୍ କାଉଣ୍ଟର ଏବଂ ରେଲ୍ ଲାଇନ ଆଦି କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଇଛି। କାନ୍ଥ ଓ ଛାତ କଳା ପଡ଼ିଯିବା ସହ ବିଦ୍ୟୁତ୍ ଉପକରଣଗୁଡ଼ିକ ପୋଡିଗଲାଣି। ବର୍ତ୍ତମାନ ସୁଦ୍ଧା କ୍ଷତିର ସଠିକ୍ ପରିମାଣ ଅନୁଧ୍ୟାନ ହେଉଛି।
ଏହି ଘଟଣାରେ ସମଗ୍ର ଷ୍ଟେସନର ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଛି। ରେଳବାଇ ଅଧିକାରୀଙ୍କ ମତରେ, ସ୍ଥିତି ସ୍ୱାଭାବିକ ନ ହେବା ଏବଂ ବିଦ୍ୟୁତ୍ ଯୋଗାଯୋଗ ପୁନରୁଦ୍ଧାର ନ ହେବା ଯାଏଁ ଷ୍ଟେସନରେ ରେଳ ଚଳାଚଳ ବନ୍ଦ ରହିବ।
