ଡ୍ରାଇଭର ସଂଘର ଆନ୍ଦୋଳନ ଜାରି: ସରକାରଙ୍କ ସହ ଆଲୋଚନା ବିଫଳ
ଭୁବନେଶ୍ବର (ସଂକେତ ଟିଭି): ଆଜି ମଧ୍ୟ ଜାରି ରହିଛି ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ଼ି ଦେବା ଆନ୍ଦୋଳନ। ଗତକାଲି ଓଡିଶା ଡ୍ରାଇଭର ମହାସଂଘ ଏବଂ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା କୌଣସି ସମାଧାନରେ ପହଞ୍ଚିପାରିନାହିଁ। ଖାରବେଳ ଭବନରେ ପରିବହନ କମିସନର ଏବଂ ସଚିବଙ୍କ ସହିତ ଅଢେଇ ଘଣ୍ଟା ଧରି ଆଲୋଚନା ହୋଇଥିଲା। ପରେ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ସହିତ ୪ ଘଣ୍ଟା ଧରି ବାର୍ତ୍ତାଳାପ ହେଲା, ମାତ୍ର କୌଣସି ନିଷ୍କର୍ଷ ଆସିନାହିଁ।
ପରିବହନ ମନ୍ତ୍ରୀ କହିଛନ୍ତି ଯେ ଡ୍ରାଇଭର ସଂଘର ଦାବି ପୂରଣ ଦିଗରେ କାର୍ଯ୍ୟ କରାଯିବ। ଗତକାଲି ସାରା ରାଜ୍ୟରେ ଅଲ ଓଡିଶା ଡ୍ରାଇଭର ମହାସଂଘ ଆନ୍ଦୋଳନ କରିଥିବାରୁ ବସ୍ ଏବଂ ଅଟୋ ଚଳାଚଳ ପ୍ରାୟ ବନ୍ଦ ରହିଥିଲା। ଏହାର ଫଳସ୍ୱରୂପ ହଜାର ହଜାର ଯାତ୍ରୀ ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରିନଥିଲେ।
ସରକାର ସହ ଆଲୋଚନା ପରେ ଏକ ସମାଧାନ ମିଳିବ ବୋଲି ଆଶା କରାଯାଉଥିଲା, ମାତ୍ର ପରିବହନ ମନ୍ତ୍ରୀଙ୍କ ସହିତ ଲମ୍ବା ଆଲୋଚନା ସତ୍ତ୍ୱେ କୌଣସି ସୁଫଳ ମିଳିନାହିଁ। ଡ୍ରାଇଭର ସଂଘ ୭ଟି ମୁଖ୍ୟ ଦାବି ଉପରେ ଆନ୍ଦୋଳନ ଜାରି ରଖିଛି। ଆଜି ମଧ୍ୟ ଏହି ଆନ୍ଦୋଳନ ଜାରି ରହିବ ବୋଲି ଜଣାଯାଇଛି।