ବାଲେଶ୍ବର ପୀଡ଼ିତା ଛାତ୍ରୀ ଏବଂ ତାଙ୍କ ପରିବାରକୁ ଏମ୍ସରେ ଭେଟିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର (ସଂକେତ ଟିଭି): ବାଲେଶ୍ବର ଏଫ୍ଏମ୍ କଲେଜର ଏକ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିକ୍ରିୟା ଦେଇଛନ୍ତି । ଦିଲ୍ଲୀରୁ ଫେରି ପୀଡ଼ିତା ଛାତ୍ରୀ ଏବଂ ତାଙ୍କ ପରିବାରକୁ ଏମ୍ସ ଭୁବନେଶ୍ୱରରେ ଭେଟିବା ପରେ ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, “ଦିଲ୍ଲୀ AIIMS ଭଳି ଛାତ୍ରୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦିଆଯାଉଛି । ଦିଲ୍ଲୀ AIIMSର ଡାକ୍ତରଙ୍କ ସହ ପରାମର୍ଶ ଚାଲିଛି । ଆଗାମୀ ୨୪ ଘଣ୍ଟା ଗୁରୁତ୍ଵପୂର୍ଣ୍ଣ ହୋଇଥିବାରୁ ସବୁ ପ୍ରସ୍ତୁତି ରଖାଯାଇଛି । ଛାତ୍ରୀଙ୍କ ସ୍ଥିତି ସ୍ଥିର ନହେଲେ ତାଙ୍କୁ ଦିଲ୍ଲୀକୁ ଏୟାରଲିଫ୍ଟ କରାଯିବ ।”
ଏହି ଘଟଣାରେ ଜାତୀୟ ମହିଳା କମିଶନ (NCW) ମଧ୍ୟ ହସ୍ତକ୍ଷେପ କରିଛି । NCW ଓଡ଼ିଶା ପୋଲିସ ଡିଜିପିଙ୍କୁ ଏକ ନିରପେକ୍ଷ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ଏବଂ ୩ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଜଣାଇବାକୁ କୁହାଯାଇଛି ।
ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, “ଏହି ଘଟଣା କାହିଁକି ଘଟିଲା, ସେ ସମ୍ବନ୍ଧରେ ଉଚ୍ଚଶିକ୍ଷା ବିଭାଗ ଏକ ତଦନ୍ତ କମିଟି ଗଠନ କରିଛି । ଦୋଷୀଙ୍କୁ ଦୃଢ଼ ଭାବରେ ଦଣ୍ଡିତ କରାଯିବ । ଭବିଷ୍ୟତରେ ଏପରି ଘଟଣା ଯେପରି ନ ଘଟେ, ସେଥିପାଇଁ ଆମେ ନିୟମାବଳୀ କଠୋର କରିବା ଉପରେ ଗୁରୁତ୍ଵ ଦେଉଛୁ ।”
ପୀଡ଼ିତା ଛାତ୍ରୀଙ୍କ ପିତା କହିଛନ୍ତି, “ମୁଖ୍ୟମନ୍ତ୍ରୀ ଏମ୍ସରେ ଆମକୁ ଭେଟିଥିଲେ ଏବଂ ଉନ୍ନତ ଚିକିତ୍ସା ପାଇଁ ସହାୟତା ପ୍ରଦାନ କରିଛନ୍ତି । ଆମେ ତାଙ୍କ ପ୍ରତିଶ୍ରୁତି ଉପରେ ବିଶ୍ୱାସ ରଖୁଛୁ ।”
ସରକାର ଏହି ଘଟଣାକୁ ଗୁରୁତର ଭାବେ ନେଇ ଦ୍ରୁତ କାର୍ଯ୍ୟାନୁଷ୍ଠାନ କରୁଥିବାରୁ ଲୋକଙ୍କ ମଧ୍ୟରେ ଆଶା ଜାଗ୍ରତ ହୋଇଛି ।