EducationFeaturedLatestNews

ବାଲେଶ୍ୱର ଘଟଣା: ଛାତ୍ରୀଙ୍କ ନ୍ୟାୟ ଦାବିରେ ବିଜେଡିର ଜୋରଦାର ପ୍ରତିବାଦ

ବାଲେଶ୍ୱର (ସଂକେତ ଟିଭି): ବାଲେଶ୍ୱରର ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଦେବା ଦାବିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଆଜି ଜୋରଦାର ପ୍ରତିବାଦ କରାଯାଇଛି । ବାଲେଶ୍ୱର ଏଫଏମ୍ କଲେଜ ଆଗରେ ଦଳୀୟ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀ ମୋହନ ମାଝି ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ଯବଂଶୀଙ୍କ ଇସ୍ତଫା ଦାବି କରିଛନ୍ତି ।

ଏହି ଘଟଣାରେ କଲେଜ ଗେଟରେ ତାଲା ପକାଇ ପ୍ରତିବାଦ କରାଯାଇଥିବା ଦେଖାଯାଇଛି । ଗେଟ୍ ସାମ୍ନାରେ ଟାୟାର ଜାଳି ଦଳୀୟ କର୍ମୀମାନେ ରାସ୍ତାରେ ବସି ନ୍ୟାୟ ପାଇଁ ଦାବି ଜାରି ରଖିଛନ୍ତି । ବିଜେଡି ପକ୍ଷର ଅଭିଯୋଗ ଅନୁସାରେ, ରାଜ୍ୟ ସରକାର ଛାତ୍ରୀଙ୍କ ସୁରକ୍ଷା ଦେବାରେ ଅସମର୍ଥ ହୋଇଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ତୁରନ୍ତ ଇସ୍ତଫା ଦେବାକୁ ଦାବି କରାଯାଇଛି ।

ଏହାଛଡ଼ା, ଘଟଣାରେ ଜଡ଼ିତ ସମସ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି ଉଠାଯାଇଛି । ଗତକାଲି ମଧ୍ୟ ଭୁବନେଶ୍ୱରରେ ଏହି ଘଟଣାକୁ ନେଇ ବିଜେଡି ଏବଂ କଂଗ୍ରେସ ପକ୍ଷରୁ ପ୍ରତିବାଦ ହୋଇଥିଲା । ରାଜଧାନୀରେ ସରକାରୀ କାର୍ଯ୍ୟାଳୟ ଘେରାଉ କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଥିଲା ।

ସେପଟେ ବିଜେପି ସରକାର ଘଟଣାକୁ ରଫାଦଫା କରିବାକୁ ଚେଷ୍ଟା କରୁଥିବାରୁ ବିଜେଡି ତୀବ୍ର ଆକ୍ଷେପ କରିଛି। ବିଜେପିର ମୁଖପାତ୍ର ଡ଼. ଲେନିନ ମହାନ୍ତି ଏକ ପ୍ରେସ ବିବୃତିରେ କହିଛନ୍ତି ଯେ, ଛାତ୍ରୀଜଣକ ଜଣେ ଅଧ୍ୟାପକଙ୍କ ଦ୍ୱାରା ନିର୍ଯ୍ୟାତିତ ହେଉଥିଲେ ଏବଂ ତାଙ୍କଠାରୁ ଶାରୀରିକ ସମ୍ପର୍କ ଦାବି କରାଯାଉଥିଲା। ଛାତ୍ରୀ ଅଧ୍ୟକ୍ଷଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ଜୁଲାଇ ୧ରେ ସେ ସୋସିଆଲ ମିଡ଼ିଆରେ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଅଭିଯୋଗ ଜଣାଇଥିଲେ, କିନ୍ତୁ କୌଣସି ପ୍ରତିକ୍ରିୟା ମିଳି ନଥିଲା।

ଘଟଣା ପରେ ସରକାର ତତ୍କ୍ଷଣାତ୍ ଅଧ୍ୟାପକଙ୍କୁ ଗିରଫ ଏବଂ ଅଧ୍ୟକ୍ଷଙ୍କୁ ନିଲମ୍ବିତ କରିଛନ୍ତି। ବିଜେପି ପ୍ରଶ୍ନ ଉଠାଇଛି ଯେ, ଘଟଣା ପୂର୍ବରୁ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା? ପୀଡ଼ିତା ଛାତ୍ରୀ ଏବେ ଏମ୍ସରେ ଚିକିତ୍ସିତ ହେଉଛନ୍ତି, କିନ୍ତୁ ବିଜେପି ସମର୍ଥିତ ଯୁବକମାନେ ହସ୍ପିଟାଲକୁ ଘେରି ରଖିଛନ୍ତି ଏବଂ ପରିବାର ସହିତ କାହାକୁ ମିଳିବାରେ ବାଧା ସୃଷ୍ଟି କରୁଛନ୍ତି।