ଲାଞ୍ଚ ନେବା ସମୟରେ ଧରା ପଡିଲେ ଉପନିବନ୍ଧକ କାର୍ଯ୍ୟାଳୟର କର୍ମଚାରୀ
ଭୁବନେଶ୍ବର (ସଂକେତ ଟିଭି): ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଉପନିବନ୍ଧକ କାର୍ଯ୍ୟାଳୟର କାର୍ଯ୍ୟରତ କର୍ମଚାରୀ ବୁଧବାର ଦିନ ଅପରାହ୍ନରେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି। ବାଗଲପୁର ଗ୍ରାମର ବୁଢ଼ୀ ମା’ ମଙ୍ଗଳା ଟ୍ରଷ୍ଟ ରେଜିଷ୍ଟ୍ରେସନ୍ କରାଇବା ପାଇଁ ଲାଞ୍ଚୁଆ ବାବୁ ୪ ହଜାର ଟଙ୍କା ଦାବି କରିଥିଲେ। ଉପନିବନ୍ଧକ ବରିଷ୍ଠ ସହାୟକ ସୁକାନ୍ତ କୁମାର ସିଂହ ପୂର୍ବରୁ ଦେଢ଼ ହଜାର ଟଙ୍କା ନେଇଥିବା ବେଳେ, ଆଜି ଅବଶିଷ୍ଟ ୨ ହଜାର ଟଙ୍କା ନେବା ସମୟରେ ଭିଜିଲାନ୍ସ ଟିମ୍ ଅଫିସ୍ ଭିତରେ ମାଡି ବସିଥିଲା।
ଦୀର୍ଘ ଦିନ ଧରି କାମ ପାଇଁ ଉପନିବନ୍ଧକ କାର୍ଯ୍ୟାଳୟକୁ ଦୌଡୁଥିବା ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ କାମକୁ ଜାଣିଶୁଣି ସ୍ଥଗିତ ରଖାଯାଉଥିଲା। ମୋଟା ଅଙ୍କର ଲାଞ୍ଚ ନେବା ପରେ ହିଁ ହିତାଧିକାରୀଙ୍କ କାମ ହେଉଥିବା ଅଭିଯୋଗ ରହିଛି। ଏହି ଘଟଣା ପରେ ବାଲିପାଟଣାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନୀତି ହେଉଥିବା ଚର୍ଚ୍ଚା ଚାଲିଛି।
ଲାଞ୍ଚୁଆ ବାବୁମାନଙ୍କ ମନରେ ଏବେ ଛନକା ପଶିଛି। ଗତ କିଛି ବର୍ଷ ତଳେ ମଧ୍ୟ ବାଲିପାଟଣା ଥାନାରେ ଜଣେ ମହିଳା ପୁଲିସ ଅଫିସର ଲାଞ୍ଚ ନେଇ ଧରା ପଡିଥିଲେ। ଭିଜିଲାନ୍ସର ଏହି କାର୍ଯ୍ୟାନୁଷ୍ଠାନ ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱାଗତ ପାଇଛି ଏବଂ ଅନ୍ୟାନ୍ୟ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନଗୁଡିକରେ ହୋଇପାରେ ବୋଲି ଆଶା କରାଯାଉଛି।