FeaturedGeneralLatestPolitics

ମୁଖ୍ୟ ନିର୍ବାଚନ କମିଶନର ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଆଣିବେ ବିରୋଧୀ

ନୂଆଦିଲ୍ଲୀ (ସଂକେତ ଟିଭି): ବିରୋଧୀ ଦଳଗୁଡ଼ିକ ଆଗାମୀ ସଂସଦ ଅଧିବେଶନରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଆଣିବା ପାଇଁ ଚିନ୍ତା କରୁଛନ୍ତି। ସୁତ୍ର ଅନୁଯାୟୀ, ଭୋଟ୍ ଚୋରି ଅଭିଯୋଗକୁ ନେଇ ବିରୋଧୀ ଦଳଗୁଡ଼ିକ ଏହି ପଦକ୍ଷେପ ନେବାକୁ ପ୍ରସ୍ତୁତି କରୁଛନ୍ତି।

କଂଗ୍ରେସ ରାଜ୍ୟସଭା ସାଂସଦ ସୟଦ ନାସିର ହୁସେନ କହିଛନ୍ତି, “ଆବଶ୍ୟକ ପଡ଼ିଲେ ମହାଅଭିଯୋଗ ପ୍ରସ୍ତାବ ସହିତ ସମସ୍ତ ଗଣତାନ୍ତ୍ରିକ ଅଧିକାର ବ୍ୟବହାର କରିବାକୁ ଆମେ ପ୍ରସ୍ତୁତ।” ତାଙ୍କ ମତରେ, ଏପର୍ଯ୍ୟନ୍ତ ଦଳର ଆନୁଷ୍ଠାନିକ ଆଲୋଚନା ହୋଇନାହିଁ, କିନ୍ତୁ ପରିସ୍ଥିତି ଆବଶ୍ୟକ କଲେ ଯେ କୌଣସି ପଦକ୍ଷେପ ନିଆଯାଇପାରିବ।

ଗତକାଳୀ, ସିଇସି ଜ୍ଞାନେଶ କୁମାର ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭୋଟ୍ ଚୋରି ଅଭିଯୋଗକୁ ଖାର୍ଜ କରିଥିଲେ। ସେ ଏହାକୁ ସମ୍ବିଧାନର ଅସମ୍ମାନ ବୋଲି କହି ରାହୁଲଙ୍କୁ ସତ୍ୟପାଠ ଦାଖଲ କରିବାକୁ କିମ୍ବା ଦେଶଠାରୁ କ୍ଷମା ମାଗିବାକୁ କହିଥିଲେ।

ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀ ମଧ୍ୟ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ନିର୍ବାଚନ କମିଶନ ତାଙ୍କଠାରୁ ସତ୍ୟପାଠ ମାଗୁଛନ୍ତି, କିନ୍ତୁ ବିଜେପି ସାଂସଦ ଅନୁରାଗ ଠାକୁରଙ୍କ କ୍ଷେତ୍ରରେ ସେଇ ନିୟମ ପ୍ରଯୁଜ୍ୟ ନୁହେଁ। ଏହି ବିଷୟକୁ ନେଇ ରାଜନୈତିକ ଟାଣାଟାଣି ବଢ଼ିଛି ଏବଂ ସଂସଦରେ ଏହା ଏକ ବଡ଼ ବିବାଦର ରୂପ ନେଇପାରେ।