FeaturedLatestNews

ଡିସଚାର୍ଜ ହୋଇ ନବୀନ ନିବାସ ଫେରିଲେ ବିରୋଧୀ ଦଳନେତା ନବୀନ ପଟ୍ଟନାୟକ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଅଧିକ ସୁସ୍ଥ ଅନୁଭବ କରୁଛନ୍ତି। ଅସୁସ୍ଥତା ଯୋଗୁଁ କିଛି ଦିନ ପୂର୍ବେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଶ୍ରୀ ପଟ୍ଟନାୟକଙ୍କୁ ଆଜି ଡାକ୍ତର ଡିସଚାର୍ଜ କରିଛନ୍ତି। ସେ ଆଜି ରାତିରେ ଡାକ୍ତରଖାନାରୁ ସୁସ୍ଥ ହୋଇ ନବୀନ ନିବାସ ଫେରିଛନ୍ତି।

ନବୀନ ପଟ୍ଟନାୟକଙ୍କ ଡିସଚାର୍ଜ ହୋଇଥିବା ବେଳେ ଦଳୀୟ ନେତା ଓ କର୍ମୀଙ୍କ ମନରେ ଉତ୍ସାହ ବଢ଼ିଛି। ଆସନ୍ତାକାଲି ଦିନସାରା ବିଜେଡି ନେତାଙ୍କର ଭିଡ଼ ଲାଗିବାର ଆଶଙ୍କା ରହିଛି। ଏଥିପାଇଁ ପୂର୍ବରୁ ନବୀନ କହିଥିଲେ, ମୋତେ ଦେଖିବାକୁ ଚାହୁଁଥିବା ଲୋକଙ୍କୁ ନବୀନ ନିବାସ ଆସିବାକୁ ପଡ଼ିବ। ଶ୍ରୀ ପଟ୍ଟନାୟକ ପୁନର୍ବାର କହିଛନ୍ତି ଯେ ସେ ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ଦେଖିବା ପାଇଁ ଆଗନ୍ତୁକମାନେ ନବୀନ ନିବାସ ଆସିବେ।

ଉଲ୍ଲେଖ୍ୟ, ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ନବୀନ ପଟ୍ଟନାୟକ ଗତ ୧୭ ତାରିଖରେ ଡିହାଇଡ୍ରେସନ୍ ଯୋଗୁଁ ସମ୍ ଅଲ୍ଟିମେଟ୍ ମେଡିକେୟାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଦି ଆଶୁ ଆରୋଗ୍ୟ କାମନା କରିଥିଲେ।

ବିଜେଡି ସରକାରର ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ବରି ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ, ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ସ୍ୱରୂପ ଦାସ, ପ୍ରଣବ ବଳବନ୍ତ ରାୟ, ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର ସୁଲୋଚନା ଦାସ ପ୍ରମୁଖ ନବୀନଙ୍କୁ ଡାକ୍ତରଖାନାରେ ଭେଟିଥିଲେ। ନବୀନଙ୍କ ଆଶୁ ଆରୋଗ୍ୟ ପାଇଁ ସରକାରୀ ମନ୍ତ୍ରୀ, ବିଧାୟକ, ଦଳୀୟ ନେତା, ବିରୋଧୀ ଦଳର ନେତା, ସମର୍ଥକ ଓ ପ୍ରଶଂସକମାନେ ଡାକ୍ତରଖାନାରେ ଭେଟିବାକୁ ଯାଇଥିଲେ। ସେହିପରି ସମର୍ଥକ ଓ ପ୍ରଶଂସକମାନେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ।