FeaturedLatestNews

ରାଜ୍ୟରେ ସାର ସଂକଟ: କେନ୍ଦ୍ର ମନ୍ତ୍ରୀଙ୍କୁ ପତ୍ର ଲେଖିଲେ ନବୀନ

ଭୁବନେଶ୍ୱର (ସଂକେତ୍ ଟିଭି):ରାଜ୍ୟରେ ସାର ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା, କଳା ବଜାରୀ, ଅପମିଶ୍ରଣ ଏବଂ ବଜାରରେ ୟୁରିଆ ମିଳୁନଥିବାରୁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି। ଚାଷୀମାନଙ୍କର ଏହି ସମସ୍ୟା ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ଏହାର ପ୍ରତିକାର ନିମନ୍ତେ ସେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଜେ.ପି. ନଡ୍ଡାଙ୍କୁ ପତ୍ର ଲେଖି ସାର ଯୋଗାଣରେ ଅବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇବା ସହ ତତକ୍ଷଣାତ୍ ଆବଶ୍ୟକୀୟ ୟୁରିଆ ଯୋଗାଣ ସୁନିଶ୍ଚିତ କରିବାକୁ ଦାବୀ କରିଛନ୍ତି।

ବିରୋଧୀ ଦଳ ନେତା କହିଛନ୍ତି ଯେ କୃଷି ଓଡିଶା ଅର୍ଥନୀତିର ମୁଖ୍ୟ ଆଧାର ଓ ଆମର ୭୦ ଭାଗରୁ ଅଧିକ ଲୋକଙ୍କୁ କୃଷି ହିଁ ଜୀବିକା ଯୋଗାଇଥାଏ। ଗତ ଦୁଇ ଦଶନ୍ଧିରେ ଓଡିଶା କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା। ୨୦୦୦ ମସିହାରେ ଚାଉଳ ପାଇଁ ଅନ୍ୟ ଉପରେ ନିର୍ଭର କରୁଥିବା ଓଡିଶା ଆଜି ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଣରେ ଏକ ପ୍ରମୁଖ ରାଜ୍ୟ ହୋଇପାରିଛି। କୃଷି କ୍ଷେତ୍ରରେ ବୈଷୟିକ ବିଦ୍ୟାର ପ୍ରୟୋଗ ଓ ସାର ବିହନ ଆଦିର ଉତ୍ତମ ବଣ୍ଟନ ଓଡିଶାକୁ ଏହି ସଫଳତା ଆଣିଦେଇଥିଲା।

ଓଡିଶାରେ ୭.୯୪ ଲକ୍ଷ ଟନ ସାର ମହଜୁଦ ଥିବା ରାଜ୍ୟ ସରକାର ଦାବି କରୁଥିବା ବେଳେ ଚାଷୀ କିନ୍ତୁ ସାର ପାଉନାହାନ୍ତି। ୟୁରିଆ ସରକାରୀ ଦର ଠାରୁ ଉଚ୍ଚ ଦାମରେ ବିକ୍ରି ହେଉଛି। ଓଡିଶା ସରକାରଙ୍କ ମାର୍କଫେଡ୍ ଚାଷୀଙ୍କ ବଦଳରେ ଘରୋଇ ଡିଲରଙ୍କୁ ରିହାତିରେ ସାର ବିକୁଛି। ତେଣୁ ଚାଷୀ ଖରିଫ ଋତୁରେ ଚାଷ କାମ ଛାଡି ସାର ପାଇଁ ରାଜରାସ୍ତାକୁ ଓହ୍ଲାଇବା ଚିନ୍ତାର ବିଷୟ।

ତାଳଚେର ସାର କାରଖାନା ବିଷୟରେ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୨୦୧୮ ରେ ଶିଳାନ୍ୟାସ କରାଯାଇଥିବା ତାଳଚେର ସାର କାରଖାନା ୩୬ ମାସରେ ଶେଷ ହେବ ବୋଲି ଘୋଷଣା କରାଯାଇଥିଲେ ବି ସାତ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇନପାରିବା ଦୁଃଖର ବିଷୟ।

ଖରିଫ ଋତୁ ଆରମ୍ଭରେ ସାର ଅଭାବ ତଥା ଯୋଗାଣରେ ଚାଲଥିବା ଅବ୍ୟବସ୍ଥା ଓ ଦୁର୍ନୀତିକୁ ରୋକିବାକୁ ଯଦି ସମୟୋଚିତ ପଦକ୍ଷେପ ନିଆନଯାଏ, ତେବେ କୃଷି ଉତ୍ପାଦନରେ ବ୍ୟାଘାତ ସୃଷ୍ଟି ସହ ଚାଷୀ ଭାଇ ଭଉଣୀଙ୍କ ଜୀବିକାକୁ ମଧ୍ୟ ଏହା ପ୍ରଭାବିତ କରିବ ବୋଲି ସେ ସତର୍କ କରିଦେଇଛନ୍ତି।