FeaturedLatestNews

ଅକ୍ଟୋବର ୮ରେ ହେବ ବାତିଲ୍‌ ହୋଇଥିବା ଆର୍‌ଆଇ, ଅମିନ ପରୀକ୍ଷା

ଭୁବନେଶ୍ବର (ସଂକେତ ଟିଭି): ବାତିଲ୍‌ ହୋଇଥିବା ଆର୍‌ଆଇ, ଏଆର୍‌ଆଇ, ଅମିନ ଓ ଆଇସିଡିଏସ୍‌ ସୁପରଭାଇଜର୍‌ ନିଯୁକ୍ତି ପାଇଁ ପ୍ରିଲିମିନାରୀ ପରୀକ୍ଷା ପୁଣିଥରେ ଅକ୍ଟୋବର ୮ ତାରିଖରୁ ଆରମ୍ଭ ହେବ। କମ୍ପ୍ୟୁଟର୍‌ ବେସଡ୍‌ ନିଯୁକ୍ତି ପରୀକ୍ଷା (ସିବିଆର୍‌ଇ) ମାଧ୍ୟମରେ ଆଶାୟୀମାନେ ଏହି ପରୀକ୍ଷା ଦେବେ। ନଭେମ୍ବର ମାସର ତୃତୀୟ ସପ୍ତାହ ମଧ୍ୟରେ ଏକାଧିକ ସିଫ୍ଟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଆଜି ଏକ ବିଜ୍ଞପ୍ତି ଜାରି କରିଛି।

ପରୀକ୍ଷା ପାଇଁ ନର୍ମାଲାଇଜେସନ୍‌ ପ୍ରକ୍ରିୟା ଅନୁସରଣ କରାଯିବ। ପ୍ରତ୍ୟେକ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯିବାର ନିଷ୍ପତ୍ତି ନିଆଯାଇଛି। ଯେଉଁସବୁ ଜିଲ୍ଲାରେ ଉପଯୁକ୍ତ ପରୀକ୍ଷା କେନ୍ଦ୍ର ଉପଲବ୍ଧ ନାହିଁ, ସେହି ଜିଲ୍ଲାର ପରୀକ୍ଷାର୍ଥୀମାନେ ଆବେଦନ ସମୟରେ ନିର୍ଦ୍ଦିଷ୍ଟ କରିଥିବା ପସନ୍ଦର ଜିଲ୍ଲାରେ ପରୀକ୍ଷା ଦେବେ। ପରୀକ୍ଷାର ଆଡମିଟ୍‌ କାର୍ଡ ପରବର୍ତ୍ତୀ ସମୟରେ ପ୍ରକାଶିତ ହେବ।

ଉଲ୍ଲେଖ୍ୟ, ପୂର୍ବେ ଅନୁଷ୍ଠିତ ଏହି ପ୍ରିଲିମିନାରୀ ପରୀକ୍ଷାରେ ବ୍ୟାପକ ଅନିୟମିତତାର ଅଭିଯୋଗ ଉଠିଥିଲା। ତା’ପରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ମେନ୍‌ ପରୀକ୍ଷା ପାଇଁ ଅର୍ହତା ଦିଆଯାଇଥିଲା। ମୋଟ ପଦ ସଂଖ୍ୟାର ୫ ଗୁଣ ପରୀକ୍ଷାର୍ଥୀଙ୍କୁ ମେନ୍‌ ପରୀକ୍ଷା ପାଇଁ ଉତ୍ତୀର୍ଣ୍ଣ କରାଯାଇଥାଏ ବୋଲି ଥିବା ନିୟମ ଉଲ୍ଲଂଘନ ହେଉଥିବାରୁ ଏହାକୁ ଚାଲେଞ୍ଜ କରି ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରାଯାଇଥିଲା। ଫଳସ୍ୱରୂପ, ସରକାର ପ୍ରିଲିମିନାରୀ ପରୀକ୍ଷାର ଫଳାଫଳକୁ ରଦ୍ଦ କରି ପୁନର୍ବାର ନୂତନ ଭାବରେ ପରୀକ୍ଷା ଆୟୋଜନ କରିବାକୁ ନ୍ୟାୟାଳୟକୁ ଅବଗତ କରିଥିଲେ।