ହାଇକୋର୍ଟ ରାୟ: ଦଶ ବର୍ଷ ପରେ ସମ୍ବଲପୁର ମହାନଗର ନିର୍ବାଚନ ପାଇଁ ଫିଟିଲା ବାଟ
ଭୁବନେଶ୍ବର (ସଂକେତ ଟିଭି): ହାଇକୋର୍ଟଙ୍କ ଏକ ଚୂଡ଼ାନ୍ତ ରାୟ ପରେ ପ୍ରାୟ ଏକ ଦଶନ୍ଧି ଧରି ଅଟକିରହିଥିବା ସମ୍ବଲପୁର ମହାନଗର ନିଗମ (ଏସଏମସି) ନିର୍ବାଚନର ପଥ ଶେଷରେ ପରିଷ୍କାର ହୋଇଛି। ଏହି ରାୟକୁ ସ୍ୱାଗତ ଜଣାଇ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ କହିଛନ୍ତି, “ସମ୍ବଲପୁର ମହାନଗର ନିର୍ବାଚନ ପାଇଁ ହାଇକୋର୍ଟଙ୍କ ରାୟ ସ୍ୱାଗତଯୋଗ୍ୟ। ଆଶା କରୁଛୁ, ବିଜେପି ସରକାର ଖୁବ ଶୀଘ୍ର ଏହି ନିର୍ବାଚନ କରିବେ।”
ତାଙ୍କ ମତରେ, ଶୀଘ୍ର ନିର୍ବାଚନ ହେଲେ ସହରର ପରିମଳ, ରାସ୍ତାଘାଟ, ବିଜୁଳି ଓ ପିଇବା ପାଣି ପରି ମୌଳିକ ସମସ୍ୟାର ଶୀଘ୍ର ସମାଧାନ ହୋଇପାରିବ।
ଜଷ୍ଟିସ ଆରକେ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଦ୍ୱାରା ପୂର୍ବରୁ ଜାରି କରାଯାଇଥିବା ୱାର୍ଡ ସଂରକ୍ଷଣ ବିଜ୍ଞପ୍ତିକୁ ସଂରକ୍ଷଣ ନିୟମର ଉଲ୍ଲଂଘନ ଦର୍ଶାଇ ବାତିଲ କରିଦେଇଛନ୍ତି। କୋର୍ଟ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ନିୟମକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ଉଲ୍ଲେଖ କରି ସରକାରଙ୍କୁ ଛଅ ସପ୍ତାହ ମଧ୍ୟରେ ଏକ ନୂତନ ଏବଂ ନିୟମସିଦ୍ଧ ୱାର୍ଡ ସଂରକ୍ଷଣ ବିଜ୍ଞପ୍ତି ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅଜୟ କୁମାର ମହାନ୍ତିଙ୍କ ଦାଏର ଏକ ଆବେଦନର ଜବାବରେ ଏହି ରାୟ ଆସିଥିଲା। ସେ ପୂର୍ବ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି କହିଥିଲେ ଯେ ଏଥିରେ ୫୦ ପ୍ରତିଶତରୁ ଅଧିକ ୱାର୍ଡ ପାଇଁ ସଂରକ୍ଷଣ ପ୍ରଦାନ କରାଯାଇଥିଲା, ଯାହା ସୁପ୍ରିମକୋର୍ଟଙ୍କ ରାୟର ବିରୁଦ୍ଧାଚରଣ କରୁଥିଲା। ଏହି ଆବେଦନ ଉପରେ ହାଇକୋର୍ଟ ଏପ୍ରିଲ ୨୦୧୫ରେ ଏକ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଜାରି କରିଥିଲେ, ଯାହା ପ୍ରାୟ ଦଶ ବର୍ଷ ଧରି ଏସଏମସି ନିର୍ବାଚନକୁ ପ୍ରଭାବିତ କରିଥିଲା।
ହାଇକୋର୍ଟଙ୍କ ରାୟ ସହିତ ସମ୍ବଲପୁରରେ ନିର୍ବାଚନ ଅନୁଷ୍ଠାନ ପାଇଁ ଥିବା ଆଇନଗତ ପ୍ରତିବନ୍ଧକ ଦୂର ହୋଇଛି। ଏହାପରେ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ପରେ ଓଡ଼ିଶାର ଚତୁର୍ଥ ନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ।
ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି, “ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିଛି। ନିର୍ଦ୍ଦେଶକୁ ବିଭାଗ ତର୍ଜମା କରିବ। ତା’ପରେ ଯାହା ପଦକ୍ଷେପ ନେବା କଥା ଏବଂ ସରକାରୀ ସ୍ତରରେ ଆଇନଗତ ପ୍ରକ୍ରିୟା ରହିଛି, ତାହା ବିଧିବଦ୍ଧ ଭାବେ ଗ୍ରହଣ କରାଯିବ। ଆମେ ମଧ୍ୟ ନିର୍ବାଚନ ପାଇଁ ଚାହୁଁଥିଲୁ। ସରକାର ଏବଂ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ଏହା ଉପରେ ତର୍ଜମା କରୁଛନ୍ତି।”