ଭାରତ ଏବଂ ଆମେରିକା ଶୁଳ୍କ ବିବାଦ : ଟ୍ରମ୍ପଙ୍କୁ ଭେଟିଲେ ଭାରତୀୟ ଲବିଷ୍ଟ ଜେସନ ମିଲର
ୱାସିଂଟନ (ସଂକେତ ଟିଭି): ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଶୁଳ୍କ ବିବାଦ କେନ୍ଦ୍ରକରି ରାଜନୈତିକ ଲବିଷ୍ଟ ଜେସନ ମିଲର ଓାଶିଂଟନ ଡିସିରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ଉଲ୍ଲେଖନୀୟ ଯେ, ଭାରତ ସରକାର କିଛି ମାସ ପୂର୍ବେ ଆମେରିକା ପ୍ରଶାସନ ନିକଟରେ ନିଜ କୂଟନୈତିକ ସ୍ଥିତି ମଜଭୁତ କରିବା ପାଇଁ ମିଲରଙ୍କୁ ନିଯୁକ୍ତି ଦେଇଥିଲେ।
ମିଲର ହ୍ୱାଇଟ୍ ହାଉସ୍ରେ ଟ୍ରମ୍ପଙ୍କ ସହିତ ହୋଇଥିବା ସାକ୍ଷାତ୍କୁ ନେଇ ଏକ ସୋସିଆଲ୍ ମିଡିଆ ପୋଷ୍ଟରେ ଲେଖିଛନ୍ତି, ‘ଓଶିଂଟନରେ ଏକ ମହାନ ସପ୍ତାହ କଟିଲା। ଅନେକ ବନ୍ଧୁଙ୍କୁ ଭେଟିଲି ଏବଂ ସପ୍ତାହର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ମୁହୂର୍ତ୍ତ ଥିଲା ରାଷ୍ଟ୍ରପତିଙ୍କୁ କାର୍ଯ୍ୟରତ ଦେଖିବା।’ ଯଦିଓ ଏହି ବୈଠକର ଏଜେଣ୍ଡା ସରକାରୀ ଭାବେ ଘୋଷିତ ହୋଇନାହିଁ, ତଥାପି ବର୍ତ୍ତମାନର ସମୟ ଏହାକୁ ଗୁରୁତ୍ଵପୂର୍ଣ୍ଣ କରିଛି କାରଣ ଏହି ସମୟରେ ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କ ଏବଂ ଶୁଳ୍କ ନୀତି ପୁନର୍ବାର ଚର୍ଚ୍ଚାରେ ଅଛି। ଉଭୟ ଦେଶ ନିଜ ନିଜର ଆର୍ଥିକ ରଣନୀତି ଉପରେ କଠୋର ନଜର ରଖିଛନ୍ତି।
ଜେସନ ମିଲର ଟ୍ରମ୍ପଙ୍କ ଏକ ନିକଟତମ ବନ୍ଧୁ ଏବଂ ୨୦୧୬ ନିର୍ବାଚନରେ ତାଙ୍କର ମୁଖ୍ୟ ମିଡିଆ ପ୍ରତିନିଧି ଥିଲେ। ତାଙ୍କୁ ହ୍ୱାଇଟ୍ ହାଉସ୍ ଯୋଗାଯୋଗ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦିଆଯିବାର ଥିଲା, ମାତ୍ର ବ୍ୟକ୍ତିଗତ ବିବାଦ ଏବଂ ଅଭିଯୋଗ ଯୋଗୁଁ ତାଙ୍କୁ ଏହି ପଦବୀରୁ ଇସ୍ତଫା ଦେବାକୁ ପଡ଼ିଥିଲା। ତାଙ୍କ ଉପରେ ଯୌନ ଉତ୍ପୀଡ଼ନ ଆଦି ଅଭିଯୋଗ ଆସିଥିଲା। ଏସବୁ ସତ୍ତ୍ଵେ ସେ ଟ୍ରମ୍ପଙ୍କ ରାଜନୈତିକ ଚକ୍ରରେ ସକ୍ରିୟ ରହିଛନ୍ତି ଏବଂ ୨୦୨୦ ଏବଂ ୨୦୨୪ ନିର୍ବାଚନୀ ଅଭିଯାନରେ ଜଣେ ଗୁରୁତ୍ଵପୂର୍ଣ୍ଣ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛନ୍ତି। ୨୦୨୦ ମସିହାରେ, ସେ SHW Partners LLC ନାମକ ଏକ ପ୍ରତିଷ୍ଠାନ ଖୋଲିଥିଲେ ଏବଂ ଜଣେ ବିଦେଶୀ ଲବିଷ୍ଟ ଭାବରେ ପଞ୍ଜୀକୃତ ହୋଇଛନ୍ତି।
ଶୁଳ୍କ ବିବାଦକୁ ନେଇ ଭାରତ ଏବଂ ଆମେରିକା ମଧ୍ୟରେ ବର୍ତ୍ତମାନ ଉତ୍ତେଜନା ବିରାଜମାନ। ଏପରି ପରିସ୍ଥିତିରେ, ଜେସନ ମିଲରଙ୍କ ଟ୍ରମ୍ପଙ୍କ ସହିତ ସାକ୍ଷାତ୍ ଏବଂ ଭାରତ ସରକାରଙ୍କ ତରଫରୁ ତାଙ୍କୁ ଏକ ଲବିଷ୍ଟ ଭାବରେ ନିଯୁକ୍ତି କରିବା କୂଟନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି ବିଶ୍ଳେଷକମାନେ ମତବ୍ୟକ୍ତ କରୁଛନ୍ତି। ଏହି ବୈଠକ ପରେ ଟ୍ରମ୍ପ ତାଙ୍କର ଶୁଳ୍କ ସମ୍ପର୍କୀୟ ନିଷ୍ପତ୍ତିରେ ପରିବର୍ତ୍ତନ ଆଣିପାରନ୍ତି ବୋଲି ବିଭିନ୍ନ ମହଲରେ ଆଲୋଚନା ଚାଲିଛି।