ଅଣଛାତ୍ର ଉଚ୍ଛେଦରେ ପୋଲିସର ଅପରେସନ୍ ବ୍ଲୁଷ୍ଟାର, ବାଣୀବିହାର ହଷ୍ଟେଲ ଖାଲି
ଭୁବନେଶ୍ବର (ସଂକେତ ଟିଭି): ଉତ୍କଳ ବିଶ୍ୱବିଦ୍ୟାଳୟର ବାଣୀବିହାର ଛାତ୍ରାବାସରୁ ଅଣଛାତ୍ରଙ୍କୁ ଉଚ୍ଛେଦ କରିବା ପାଇଁ ପୋଲିସ ଆଜି ଏକ ବିଶେଷ ଅପରେସନ୍ ଚାଲାଇଛି । ଏହି ଅପରେସନ୍କୁ ‘ଅପରେସନ୍ ବ୍ଲୁଷ୍ଟାର’ ନାମ ଦିଆଯାଇଥିଲା । ରାତି ୧୦ଟା ୩୦ ମିନିଟରୁ ଆରମ୍ଭ ହୋଇଥିବା ଏହି ଅପରେସନ୍ ଦିନ ୨ଟା ଯାଏଁ ଚାଲିଥିଲା । ଏଥିରେ ବିଭିନ୍ନ ଛାତ୍ରାବାସରେ କବଜା କରିଥିବା ସମସ୍ତ ଅଣଛାତ୍ରଙ୍କୁ ଖୋଜି ଖୋଜି ବାହାର କରାଯାଇଛି ଏବଂ ହଷ୍ଟେଲରୁ ବିଦାୟ କରାଯାଇଛି ।
ଅପରେସନ୍ ସମୟରେ ୩ ନମ୍ବର ହଷ୍ଟେଲକୁ ସମ୍ପୂର୍ଣ୍ଣ ଭାବରେ ସିଲ୍ କରାଯାଇଥିବା ବେଳେ ୨ ନମ୍ବର ହଷ୍ଟେଲର ୨୫ଟି କୋଠରୀ ଏବଂ ୧ ନମ୍ବର ହଷ୍ଟେଲର ୧୯ଟି କୋଠରୀ ସିଲ୍ ହୋଇଥିଲା । ଏଥିସହିତ ୧ ନମ୍ବର ହଷ୍ଟେଲ ପାଖରେ ଥିବା କ୍ୟାଣ୍ଟିନକୁ ମଧ୍ୟ ପୋଲିସ ସିଲ୍ କରିଛି । ବିଶ୍ୱବିଦ୍ୟାଳୟ ପ୍ରଶାସନ କହିଛି ଯେ, ଆଗାମୀ ଦିନମାନଙ୍କରେ ନିୟମିତ ଭାବରେ ହଷ୍ଟେଲ ଯାଞ୍ଚ ହେବ ଏବଂ ୩ ନମ୍ବର ହଷ୍ଟେଲର ମରାମତି କାର୍ଯ୍ୟ ସମାପ୍ତ ହେବାପରେ ଛାତ୍ରମାନଙ୍କୁ ସେଥିରେ ଆଲଟମେଣ୍ଟ ଦିଆଯିବ । ହଷ୍ଟେଲରୁ ଅଣଛାତ୍ରଙ୍କୁ ହଟାଇବା ନେଇ ଛାତ୍ରମାନେ ଖୁସି ପ୍ରକାଶ କରିଛନ୍ତି ।
ଏହି କାର୍ଯ୍ୟକ୍ରମକୁ ନେଇ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି । ତାଙ୍କ କଥାରେ, ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଅଣଛାତ୍ରମାନେ ନ ରହିପାରନ୍ତି ତାହା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଦୀର୍ଘ ବର୍ଷଧରି ଅଣଛାତ୍ରଙ୍କ ରହିବା ଯୋଗୁଁ ବିଶ୍ୱବିଦ୍ୟାଳୟଗୁଡ଼ିକର ର୍ୟାଙ୍କିଂ କମିଯାଉଥିଲା । ଏହି ଅପରେସନ୍ ପାଇଁ ୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୋଟାୟନ କରାଯାଇଥିଲା । ମନ୍ତ୍ରୀ ସମସ୍ତ ଅଣଛାତ୍ରଙ୍କୁ ହଷ୍ଟେଲ ଛାଡ଼ିବାକୁ ଅନୁରୋଧ କରିଛନ୍ତି ଏବଂ ଏକ ଉନ୍ନତ ଶିକ୍ଷା ବାତାବରଣ ସୃଷ୍ଟି କରିବାକୁ ସମସ୍ତଙ୍କୁ ପ୍ରେରଣା ଦେଇଛନ୍ତି ।
ଅନ୍ୟ ପକ୍ଷରେ, ବିଜେପି ଯୁବ ମୋର୍ଚ୍ଚା ଏହି କାର୍ଯ୍ୟକୁ ସ୍ୱାଗତ ଜଣାଇଛି ଏବଂ ବିଜେଡି ଓ କଂଗ୍ରେସ ଦଳ ଏଥିରେ କାହିଁକି ପ୍ରତିକ୍ରିୟା ଦର୍ଶାଉଛନ୍ତି ତାହା ନେଇ ପ୍ରଶ୍ନ ଉଠାଇଛି । ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ଅଭିଳାଷ ପଣ୍ଡା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଏକ ‘ସର୍ଜିକାଲ୍ ଷ୍ଟ୍ରାଇକ୍’ ଆରମ୍ଭ କରିଛନ୍ତି, ଯାହା ଶିକ୍ଷା ବ୍ୟବସ୍ଥାର ମଙ୍ଗଳ କରିବ । ସେ ଆଶା ପ୍ରକାଶ କରିଛନ୍ତି ଯେ ଆଗାମୀ ଦିନରେ ରାଜ୍ୟର ଅନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯିବ ।
ଏହି ପ୍ରସଙ୍ଗରେ ବିଜେଡି ଛାତ୍ର ନେତା ମୁଖ୍ୟମନ୍ତ୍ରୀଙ୍କୁ ‘ଦହନ ସରକାର’ ବୋଲି କହିବା ଉପରେ ମଧ୍ୟ ଅଭିଳାଷ ପଣ୍ଡା ପ୍ରତିକ୍ରିୟା ଦେଇଛନ୍ତି । ତାଙ୍କ ମତରେ, ଏଭଳି ଅପଶବ୍ଦ ବ୍ୟବହାର କରିବା ସେମାନଙ୍କ ଦଳର ପରିଚୟ ଓ ମର୍ଯ୍ୟାଦାକୁ ପ୍ରତିଫଳିତ କରେ । ସେ ଦାବି କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମାଝୀ ଦେଢ଼ ବର୍ଷର ଶାସନରେ ନବୀନ ପଟ୍ଟନାୟକଙ୍କ ୨୫ ବର୍ଷର ଶାସନ ଅପେକ୍ଷା ଅଧିକ ଲୋକଙ୍କୁ ଭେଟିଛନ୍ତି । ଶିକ୍ଷା ନୀତିରେ ସଂସ୍କାର, ସମୟସମ୍ଭରେ ପରୀକ୍ଷା ଓ ଫଳାଫଳ ପ୍ରକାଶ, ଏବଂ ଛାତ୍ର ନେତୃତ୍ୱ ବିକାଶକୁ ଗୁରୁତ୍ୱ ଦେଉଥିବା ସରକାର ଭବିଷ୍ୟତରେ ମଧ୍ୟ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ ବୋଲି ସେ ମତ ଦେଇଛନ୍ତି ।