FeaturedGeneralLatest

ନାସାରେ ଚୀନ ନାଗରିକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ୱାଶିଂଟନ (ସଂକେତ ଟିଭି): ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ଏବଂ ଶୁଳ୍କ ବିବାଦ ମଧ୍ୟରେ ଆମେରିକା ଆଉ ଏକ ବଡ଼ ପଦକ୍ଷେପ ନେଇଛି। ଆମେରିକାର ମହାକାଶ ସଂସ୍ଥା ନାସା (NASA) ଚୀନୀୟ ଛାତ୍ର, ନାଗରିକ ଏବଂ ବୈଜ୍ଞାନିକମାନଙ୍କୁ ନାସା ପ୍ରାଙ୍ଗଣରେ ପ୍ରବେଶ କରିବାକୁ ନିଷେଧ କରିଛି। ଜାତୀୟ ସୁରକ୍ଷା ଏବଂ ଆମେରିକାର ମହାକାଶ କାର୍ଯ୍ୟକ୍ରମରେ ଗୁପ୍ତଚର ବା ଜାସୁସି କାର୍ଯ୍ୟକଳାପର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଉଛି।

ନାସା ପ୍ରେସ୍ ସଚିବ ବେଥାନି ଷ୍ଟିଭେନ୍ସ ଜାରି କରିଥିବା ଏକ ବିବୃତି ଅନୁଯାୟୀ, ନାସାରେ କାର୍ଯ୍ୟରତ ସମସ୍ତ ଚୀନୀୟ ନାଗରିକ, ଛାତ୍ର ଏବଂ ବୈଜ୍ଞାନିକଙ୍କୁ ସଂସ୍ଥାର ସମସ୍ତ ପ୍ରକଳ୍ପରୁ ହଟାଯାଇଛି। ନାସାର କୌଣସି ବିଭାଗ ଏବଂ ଆଭ୍ୟନ୍ତରୀଣ ସିଷ୍ଟମରେ ସେମାନଙ୍କର ପ୍ରବେଶକୁ ସମ୍ପୂର୍ଣ୍ଣ ଭାବରେ ଅବରୋଧ କରାଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ସେମାନେ ନାସାର ଅନଲାଇନ୍ କିମ୍ବା ଅଫଲାଇନ୍ କୌଣସି ବୈଠକରେ ଅଂଶଗ୍ରହଣ କରିପାରିବେ ନାହିଁ, ନାସାର ସୁବିଧା, ବିଷୟବସ୍ତୁ ଏବଂ ନେଟୱାର୍କ ମଧ୍ୟ ବ୍ୟବହାର କରିପାରିବେ ନାହିଁ ଏବଂ ଭବିଷ୍ୟତରେ ନାସାର କୌଣସି ପ୍ରକଳ୍ପରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ ନାହିଁ।

ନାସାର କାର୍ଯ୍ୟନିର୍ବାହୀ ପ୍ରଶାସକ ସିଆନ୍ ଡଫି କହିଛନ୍ତି ଯେ ଚୀନ୍ ଆମେରିକାକୁ ଚନ୍ଦ୍ରକୁ ଯିବାରୁ ରୋକିବାକୁ ଚାହୁଁଛି ଏବଂ ଏଥିପାଇଁ ଚୀନୀୟ ବୈଜ୍ଞାନିକ ଓ ଛାତ୍ରମାନଙ୍କ ମାଧ୍ୟମରେ ନାସାରେ ଗୁପ୍ତଚରୀ କରିବାର ସମ୍ଭାବନା ରହିଛି। ଚୀନ୍ ମହାକାଶ ଜଗତରେ ଦ୍ରୁତ ଗତିରେ ନିଜର ପରିସର ବିସ୍ତାର କରୁଥିବା ବେଳେ, ଆମେରିକା ସରକାର ନାସାକୁ ଚୀନ୍ ସହିତ କୌଣସି ପ୍ରକାରର ମହାକାଶ ସମ୍ପର୍କିତ ତଥ୍ୟ ଏବଂ ସୂଚନା ଆଦାନପ୍ରଦାନ କରିବାକୁ ମଧ୍ୟ ନିଷେଧ କରିଛନ୍ତି।

ଏହି ନିଷ୍ପତ୍ତି ଫଳରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସହିତ ଜଡିତ ଶିକ୍ଷାଗତ ପାଠ୍ୟକ୍ରମ ପଢୁଥିବା ଚୀନୀୟ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଭିସା ଏବଂ ଆମେରିକାରେ ପ୍ରବେଶ ନେଇ ବିପରୀତ ପରିସ୍ଥିତିର ସମ୍ମୁଖୀନ ହୋଇପାରେ। ଏହି ପ୍ରତିବନ୍ଧକ ଭବିଷ୍ୟତରେ ଦୁଇ ଦେଶ ମଧ୍ୟରେ ବୈଜ୍ଞାନିକ ସହଯୋଗକୁ ମଧ୍ୟ ପ୍ରଭାବିତ କରିପାରେ ବୋଲି ବିଶ୍ଳେଷକମାନେ ମତବ୍ୟକ୍ତ କରୁଛନ୍ତି।