ସେପ୍ଟେମ୍ବର ୨୩/୨୪ରେ ହେବ ରତ୍ନଭଣ୍ଡାର ସିନ୍ଧୁକ ସ୍ଥାନାନ୍ତର
ଭୁବନେଶ୍ୱର (ସଂକେତ ଟିଭି): ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ସବ୍-କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ପକ୍ଷରୁ ସରକାରଙ୍କୁ ଅବଗତ କରାଯାଇଛି ଯେ, ସେପ୍ଟେମ୍ବର ୨୩ ତାରିଖରେ ରତ୍ନଭଣ୍ଡାରର ସିନ୍ଧୁକକୁ ଭିତରକୁ ସ୍ଥାନାନ୍ତର କରାଯିବ। ଯଦି ଏହି ତାରିଖରେ ସମ୍ଭବ ନ ହୁଏ, ତେବେ ପରଦିନ ୨୪ ତାରିଖରେ ଏହି କାର୍ଯ୍ୟ ସମ୍ପାଦନ କରାଯିବ।
ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ କରାଯାଇସାରିବା ପରେ ଏଠାରେ ଉପଯୁକ୍ତ ଲାଇଟ୍ ବ୍ୟବସ୍ଥା କରାଯିବ। ଏହାପରେ ଖୁବ୍ ଶୀଘ୍ର ରତ୍ନଭଣ୍ଡାରର ଗଣତିମଣତି (inventory) ପ୍ରକ୍ରିୟା ଆରମ୍ଭ ହେବ ବୋଲି କମିଟି ତରଫରୁ ଜଣାଯାଇଛି।
ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ହେଲା ଧାଡି ଦର୍ଶନ ସମ୍ପର୍କୀୟ। ଧାଡି ଦର୍ଶନ ପାଇଁ ହୁଣ୍ଡି ସ୍ଥାନାନ୍ତର କରାଯିବା ପାଇଁ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି। ହୁଣ୍ଡି ସ୍ଥାନାନ୍ତରିତ ହୋଇସାରିବା ପରେ ଧାଡି ଦର୍ଶନର ଟ୍ରାଏଲ୍ ରନ୍ କରାଯିବ। ଏହି ଟ୍ରାଏଲ୍ ରନ୍ ସମୟରେ ହେଉଥିବା ସୁବିଧା ଓ ଅସୁବିଧାକୁ ଦେଖିନେଇ ସ୍ଥାୟୀ ଭାବରେ ଧାଡି ଦର୍ଶନ ପାଇଁ ଚୂଡାନ୍ତ ବ୍ୟବସ୍ଥା କରାଯିବ। ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ଏସବୁ ତଥ୍ୟ ପ୍ରଦାନ କରିଛନ୍ତି।