FeaturedLatestNewsPolitics

ପୂର୍ବତନ ବିଧାୟକ ତଥା ଆଦିବାସୀ ନେତା ଜର୍ଜ ତିର୍କିଙ୍କ ପରଲୋକ

ଭୁବନେଶ୍ୱର (ସଂକେତ ଟିଭି): ବୀରମିତ୍ରପୁର ନିର୍ବାଚନମଣ୍ଡଳୀର ପୂର୍ବତନ ତଥା ଚାରିଥର ବିଧାୟକ, ବିଶିଷ୍ଟ ଶ୍ରମିକ ଓ ଆଦିବାସୀ ନେତା ଜର୍ଜ ତିର୍କି ଆଉ ନାହାନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲ୍ରେ ତାଙ୍କର ପରଲୋକ ଘଟିଛି। ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା।

ଗତ କିଛି ମାସ ଧରି ସେ ଗୁରୁତର ଅସୁସ୍ଥତାରେ ଭୋଗୁଥିଲେ। ଶୁକ୍ରବାର ଅପରାହ୍ନରେ ତାଙ୍କ ଅବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ପ୍ରଥମେ ରାଉରକେଲା ଇସ୍ପାତ ଜେନେରାଲ୍ ହସ୍ପିଟାଲ୍କୁ ନିଆଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ସେଠାରୁ ତାଙ୍କୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ଯାହାଙ୍କ ଶେଷ ଶଯ୍ୟା ପାର୍ଶ୍ୱରେ ତାଙ୍କ ପୁଅ ଓ ବର୍ତ୍ତମାନର ବୀରମିତ୍ରପୁର ବିଧାୟକ ରୋହିତ ଯୋସେଫ ତିର୍କି ଏବଂ ଅନ୍ୟାନ୍ୟ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ।

ତାଙ୍କ ଶେଷକ୍ରିୟା ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବୀରମିତ୍ରପୁର ଥାନା ଅଧୀନସ୍ଥ ଝୁନମୁରଠାରେ ତାଙ୍କ ପୈତୃକ ଗ୍ରାମରେ ଅନୁଷ୍ଠିତ ହେବ ବୋଲି ପରିବାର ସୂତ୍ରରୁ ଜଣାଯାଇଛି।

ଜର୍ଜ ତିର୍କି ଜଣେ ଲଢ଼ାଳୁ ଆଦିବାସୀ ନେତା ଭାବରେ ରାଜ୍ୟ ଏବଂ ରାଜ୍ୟ ବାହାରେ ପରିଚିତ ଥିଲେ। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଟିକେଟରେ ସେ ୧୯୯୫ ଓ ୨୦୦୦ ମସିହାରେ ଲଗାତାର ଦୁଇଥର ବୀରମିତ୍ରପୁର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୨୦୦୯ ମସିହାରେ ସ୍ୱାଧୀନ ଭାବରେ ଏବଂ ୨୦୧୪ ମସିହାରେ ସମତା କ୍ରାନ୍ତି ଦଳର ପ୍ରାର୍ଥୀ ଭାବରେ ସେହି ଆସନରୁ ବିଜୟୀ ହୋଇଥିଲେ। ସୁନ୍ଦରଗଡ଼ ଲୋକସଭା ଆସନରୁ ସେ ଦୁଇଥର ପ୍ରାର୍ଥୀ ହୋଇଥିଲେ ମଧ୍ୟ ସଫଳ ହୋଇପାରିନଥିଲେ।

ରାଜନୈତିକ ଜୀବନର ଶେଷଭାଗରେ ସେ କଂଗ୍ରେସ ଓ ପରେ ବିଜୁ ଜନତା ଦଳ (ବିଜେଡି)ରେ ଯୋଗ ଦେଇଥିଲେ। ୨୦୨୪ ନିର୍ବାଚନରେ ତାଙ୍କ ପୁଅ ରୋହିତ ଯୋସେଫ ତିର୍କିଙ୍କୁ ବୀରମିତ୍ରପୁର ଆସନରୁ ବିଜେଡି ପ୍ରାର୍ଥୀ ଭାବରେ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଏବଂ ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ରହିଥିଲେ।