ଜିଏସଟି ସଂସ୍କାରରୁ ସାଧାରଣ ଲୋକଙ୍କୁ ବଡ଼ ରିହାତି, ପିଏମ୍ ମୋଦିଙ୍କ ଘୋଷଣା
ନୂଆଦିଲ୍ଲୀ (ସଂକେତ ଟିଭି):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କରିଥିବା ସମ୍ବୋଧନରେ ଜିଏସଟି ସଂସ୍କାର ସମ୍ବନ୍ଧରେ ଏକ ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୨୨ ତାରିଖରୁ ଦେଶର ସମସ୍ତ ବର୍ଗର ଲୋକେ, ବିଶେଷକରି ଗରିବ ଏବଂ ମଧ୍ୟମବର୍ଗ, ଏହି ସଂସ୍କାର ଯୋଗୁଁ ଲାଭାନ୍ୱିତ ହେବେ ବୋଲି ତାଙ୍କୁ କହିଛନ୍ତି। ଏହି ପରିବର୍ତ୍ତନ ଭାରତର ଅର୍ଥନୈତିକ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୧୭ରେ ଜିଏସଟି ପ୍ରଣୟନ ପୂର୍ବରୁ ଭିନ୍ନ ଭିନ୍ନ ପ୍ରକାରର କର ପ୍ରଣାଳୀ ଥିବାରୁ ଲୋକଙ୍କୁ ଅନେକ ସମସ୍ୟା ଏବଂ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡୁଥିଲା, ଯେଉଁଥିରେ ଗରିବ ଲୋକଙ୍କୁ ଅଧିକ ଟିକସ ଦେବାକୁ ପଡୁଥିଲା। ବର୍ତ୍ତମାନର ଏହି ସଂସ୍କାର ଫଳରେ ଘର ନିର୍ମାଣ, ଗାଡ଼ି କିଣା, ଏବଂ ବୁଲାବୁଲି ଭଳି କାର୍ଯ୍ୟଗୁଡ଼ିକର ଖର୍ଚ୍ଚ କମିବ।
ଏଥିସହ ଛୋଟ ଛୋଟ ଦୋକାନୀମାନେ ମଧ୍ୟ ଏହାର ପ୍ରତ୍ୟକ୍ଷ ଲାଭ ପାଇବେ ବୋଲି ମୋଦି କହିଛନ୍ତି। ଆୟକର କମିବା ଏବଂ ଜିଏସଟି ସଂସ୍କାର ଯୋଗୁଁ ସାଧାରଣ ବର୍ଗର ଲୋକେ ମୋଟ ଅଢ଼େଇ ଲକ୍ଷ କୋଟି ଟଙ୍କାର ଆର୍ଥିକ ଲାଭ ପାଇବେ। ଏହି ପରିବର୍ତ୍ତନ ଲଘୁ ଓ କୁଟୀର ଉଦ୍ୟୋଗକୁ ମଧ୍ୟ ଦ୍ୱିଗୁଣିତ ଲାଭ ପହଞ୍ଚାଇବ।
ପ୍ରଧାନମନ୍ତ୍ରୀ ଏଥିସହ ସ୍ବଦେଶୀ ଉତ୍ପାଦ ବ୍ୟବହାର ଉପରେ ମଧ୍ୟ ଗୁରୁତ୍ଵାରୋପ କରିଛନ୍ତି। ତାଙ୍କ ମତରେ ବିଦେଶୀ ସାମଗ୍ରୀରୁ ମୁକ୍ତି ପାଇବା ଏବଂ ପ୍ରତ୍ୟେକ ଘରକୁ ସ୍ବଦେଶୀର ପ୍ରତୀକ ଭାବେ ଗଢିତୋଳିବା ଜରୁରୀ। ଗର୍ବର ସହିତ ‘ଆମେ ସ୍ବଦେଶୀ ସାମଗ୍ରୀ କ୍ରୟ କରୁଛୁ’ ବୋଲି କହିବା ଉଚିତ। ଶେଷରେ ସେ ପ୍ରତ୍ୟେକ ରାଜ୍ୟକୁ ନିବେଶ ପାଇଁ ରାସ୍ତା ଉନ୍ମୁକ୍ତ କରିବାକୁ ମଧ୍ୟ କହିଛନ୍ତି।