କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ରଦ୍ଦ ହୋଇନାହିଁ: ନଗର ଉନ୍ନୟନ ମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ରଦ୍ଦ ହୋଇନାହିଁ ବୋଲି ଆଜି ବିଧାନସଭାରେ ସ୍ପଷ୍ଟ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର। ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ସେ ଏହି ଘୋଷଣା କରିଛନ୍ତି।
ମନ୍ତ୍ରୀ ମହାପାତ୍ର କହିଛନ୍ତି ଯେ ଏହି ପ୍ରକଳ୍ପ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପରୀକ୍ଷାଧୀନ ରହିଛି। ପ୍ରକଳ୍ପଟିକୁ ଲକ୍ଷ୍ୟ କରି ଏକ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟି ଗଠନ କରାଯାଇଛି। ଉକ୍ତ କମିଟିର ରିପୋର୍ଟ ଓ ସୁପାରିଶ ପ୍ରାପ୍ତ ହେବା ପରେ ସରକାର ଆଗାମୀ ଦିନଗୁଡ଼ିକରେ ଏହି ବିଷୟରେ ଅନ୍ତିମ ସିଦ୍ଧାନ୍ତ ନେବେ।
ଏହି ମେଟ୍ରୋ ପ୍ରକଳ୍ପ ପାଇଁ ଏପର୍ଯ୍ୟନ୍ତ ଆର୍ଥିକ ବ୍ୟୟ ସମ୍ବନ୍ଧରେ ମନ୍ତ୍ରୀ ଜଣାଇଛନ୍ତି ଯେ ମୋଟ ୨୭୭.୩୬ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ଏଥିରୁ, ୨୦୨୪ ଜୁନ୍ ମାସ ୧୨ ତାରିଖ ପରଠାରୁ ୨୫୨.୦୫ କୋଟି ଟଙ୍କା ପ୍ରଦାନ କରାଯାଇଛି।