ନାଇଟ୍ ସିଫ୍ଟ କରିବେ ମହିଳା, ରାଜ୍ୟ କ୍ୟାବିନେଟ ନେଲା ନିଷ୍ପତ୍ତି
ଭୁବନେଶ୍ୱର (ସଂକେତ ଟିଭି): ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକ ଆଜି ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବମାନେ ଉପସ୍ଥିତ ଥିଲେ। ବୈଠକରେ ମୋଟ ୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି।
କାର୍ମିକ କ୍ଷେତ୍ରରେ ବୃହତ୍ ସଂସ୍କାରକୁ ଲକ୍ଷ୍ୟ ରଖି ଶ୍ରମ ବିଭାଗର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଆଇନରେ ସଂଶୋଧନ ଅନୁମୋଦିତ ହୋଇଛି। ବାଣିଜ୍ୟ ପ୍ରତିଷ୍ଠାନ ଆଇନ, ୧୯୫୬ ଏବଂ କାରଖାନା ଆଇନ, ୧୯୪୮ରେ ଏହି ସଂଶୋଧନ କରାଯାଇଛି। ନୂତନ ନିୟମାନୁଯାୟୀ, ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୯ ଘଣ୍ଟାରୁ ବୃଦ୍ଧି କରି ୧୦ ଘଣ୍ଟା କରାଯାଇଛି, ଯେଉଁଥିରେ ୩୦ ମିନିଟ୍ ବିଶ୍ରାମ ଅନ୍ତର୍ଭୁକ୍ତ ରହିବ। ସପ୍ତାହରେ ୪୮ ଘଣ୍ଟାରୁ ଅଧିକ କାର୍ଯ୍ୟ କଲେ କର୍ମଚାରୀମାନେ ଦ୍ଵିଗୁଣିତ ମଜୁରୀ ପାଇବାର ହକଦାର ହେବେ।
ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହିସାବରେ ମହିଳା କର୍ମଚାରୀଙ୍କ ପାଇଁ ରାତିରେ କାର୍ଯ୍ୟ କରିବାର ପ୍ରତିବନ୍ଧକ ହଟାଯାଇଛି। ବର୍ତ୍ତମାନରୁ ମହିଳା କର୍ମଚାରୀ ଚାହିଁଲେ ଲିଖିତ ସମ୍ମତି ଦେଇ ରାତିରେ କାର୍ଯ୍ୟ କରିପାରିବେ। ଏଥିପାଇଁ ରାଜ୍ୟ ସରକାର ସେମାନଙ୍କ ସୁରକ୍ଷା ଏବଂ ଯିବା-ଆସିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବେ। ଏହି ସମସ୍ତ ନିୟମ ଯେଉଁ ସଂସ୍ଥାରେ ୨୦ ଜଣଠାରୁ ଅଧିକ କର୍ମଚାରୀ ରହିଛନ୍ତି, ସେଠାରେ ଲାଗୁ ହେବ ଏବଂ ସଂସ୍ଥାରେ ଓଡ଼ିଆ ଭାଷାରେ ସାଇନବୋର୍ଡ ରଖାଯିବା ବାଧ୍ୟତାମୂଳକ ହେବ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବ୍ୟାପକ ଶିଳ୍ପାୟନ ଏବଂ ‘ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍’ ପାଇଁ ଏହି ସଂସ୍କାରର ଆବଶ୍ୟକତା ପଡ଼ିଛି। ପ୍ରଧାନମନ୍ତ୍ରୀଙ୍କ ଦିଗ୍ଦର୍ଶନରେ ଏହି ପରିବର୍ତ୍ତନ ଆଣାଯାଇଛି ଏବଂ ଏହା ଦେଶରେ ୧୩ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ଏବଂ ୧୩ ଲକ୍ଷ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବ।
ଶିକ୍ଷା କ୍ଷେତ୍ରରେ, ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା ଅନୁମୋଦିତ ହୋଇଛି। ଜାତୀୟ ଶିକ୍ଷା ନୀତିର ଲକ୍ଷ୍ୟକୁ ପୂରଣ କରି ପ୍ରତି ପଞ୍ଚାୟତରେ ଗୁଣାତ୍ମକ ମୌଳିକ ଶିକ୍ଷା ପ୍ରଦାନ କରିବା ଏହାର ଉଦ୍ଦେଶ୍ୟ। ପ୍ରଥମ ପର୍ଯ୍ୟାୟରେ ପ୍ରଥମ ୨୨୦୦ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଯିବ, ଯାହାପାଇଁ ପ୍ରାୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରତି ବିଦ୍ୟାଳୟ ପାଇଁ ୫ କୋଟି ଟଙ୍କା ଖର୍ଚ୍ଚ ହୋଇ ଉନ୍ନତ ଭିତ୍ତିଭୂମି ଓ ଶିକ୍ଷକ ନିଯୁକ୍ତି କରାଯିବ।
ଅନ୍ୟାନ୍ୟ ପ୍ରସ୍ତାବ ମଧ୍ୟରେ କେନ୍ଦୁଝର ଜିଲ୍ଲାର ଘଟଗାଁ ତାରିଣୀ ମନ୍ଦିର ପରିସରର ସମ୍ବ୍ୟାପ୍ତ ବିକାଶ ଯୋଜନା ଅନ୍ତର୍ଭୁକ୍ତ। ବଢ଼ୁଥିବା ଭକ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ୫୯ ଏକରରୁ ଅଧିକ ଜାଗାରେ ଏହି ବିକାଶ କାର୍ଯ୍ୟ ହାତରେ ନିଆଯିବ। ୨୨୬ କୋଟି ଟଙ୍କା ଖର୍ଚ୍ଚରେ ଏହି ଯୋଜନାରେ ଏକ ୨୪୬ ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ, ମାର୍କେଟ କମ୍ପ୍ଲେକ୍ସ, ନଡ଼ିଆ ଭଣ୍ଡାର ଓ ଅନ୍ୟାନ୍ୟ ସୁବିଧା ସୃଷ୍ଟି କରାଯିବ।