CulturalFeaturedLatestNews

ଗାଁ ଗାଁରେ ଭାଗବତ ଟୁଙ୍ଗି ମାନଙ୍କର ପୁନରୁଦ୍ଧାର ଓ ପ୍ରତିଷ୍ଠା କରିବେ ରାଜ୍ୟ ସରକାର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱରର କଟକ ରୋଡ୍ ସ୍ଥିତ ତେରାପନ୍ଥ ଭବନରେ ଧର୍ମ ଜାଗରଣ ସମିତି, ଓଡ଼ିଶା ପକ୍ଷରୁ ଆୟୋଜିତ ଶ୍ରୀମଦ୍ ଭାଗବତ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ଯେ ପ୍ରତ୍ୟେକ ଓଡ଼ିଆ ଘରେ ଭାଗବତ ଗ୍ରନ୍ଥ ରହିବା ଏବଂ ପ୍ରତ୍ୟେକ ଗାଁରେ ଥିବା ଭାଗବତ ଟୁଙ୍ଗି ମାନଙ୍କର ପୁନରୁଦ୍ଧାର ଓ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମାଜର ସମସ୍ତ ବିକାଶରେ ଯୁବସମାଜ ଆଜି ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି ଏବଂ ସେମାନଙ୍କୁ ସନ୍ମାର୍ଗରେ ପ୍ରେରିତ କରିବାରେ ଶ୍ରୀମଦ୍ ଭାଗବତ ପାଠ ଏକ ଶକ୍ତିଶାଳୀ ମାଧ୍ୟମ। ଏହି ଗ୍ରନ୍ଥ ପରମ୍ପରା, ଭକ୍ତି ଓ ଧର୍ମର ଅମୂଲ୍ୟ ଶିକ୍ଷା ଦ୍ୱାରା ଲୋକଙ୍କୁ ଭଗବତ୍ କାର୍ଯ୍ୟରେ ସଂଯୋଗ କରେ। ତାଙ୍କ ମତରେ, ଜୀବନର ପାଞ୍ଚଟି ମୂଳତତ୍ତ୍ୱ – ଈଶ୍ୱର, ଜୀବ, ପ୍ରକୃତି, କାଳ ଏବଂ କର୍ମ ଉପରେ ଏହି ବିଶ୍ୱ ପରିଚାଳିତ, ଏଣୁ ସନାତନ ପରମ୍ପରାରେ ଜୀବନର ଶେଷ ସମୟରେ ଶ୍ରୀମଦ୍ ଭାଗବତ ଶ୍ରବଣ କରିବା ପ୍ରତ୍ୟେକର ଇଚ୍ଛା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପ୍ରତିଦିନ ଭାଗବତ ପାଠ କରିବାକୁ ଆହ୍ୱାନ ଜାରି କରିଛନ୍ତି, ଯାହା ଜୀବନକୁ ଏକ ସୁସ୍ଥ, ଧାର୍ମିକ ଓ ନୈତିକ ଦିଗଦର୍ଶନ ଦେବ। ତାଙ୍କ ମତରେ, ଏଭଳି ମହୋତ୍ସବ ସମାଜରେ ଏକତା, ଭକ୍ତି, ସମ୍ମାନ ଏବଂ ମୌଳିକ ମୂଲ୍ୟବୋଧକୁ ଦୃଢ଼ତର କରେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ୨୦୧୪ ପରଠାରୁ ଭାରତରେ ଭାରତୀୟ ସଂସ୍କୃତି ଓ ପରମ୍ପରାର ଏକ ଅଭ୍ୟୁଦୟ ଘଟିଛି, ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକାଶ ଭି, ବିରାସତ ଭି’ ନାରାର ଏକ ଜୀବନ୍ତ ପ୍ରକାଶ। ଅଯୋଧ୍ୟାର ରାମ ମନ୍ଦିର ନିର୍ମାଣ, ମହାକୁମ୍ଭରେ ରେକର୍ଡ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ, କାଶୀ ବିଶ୍ୱନାଥ ଏବଂ ମହାକାଳ କରିଡର୍ ଭଳି ପ୍ରକଳ୍ପଗୁଡିକ ଏହାର ପ୍ରମାଣ। ଆଜି ଦେଶରେ ଧାର୍ମିକ ଚେତନାର ପୁନରୁତ୍ଥାନ ହୋଇଛି ଏବଂ ଏହି ଆନ୍ଦୋଳନରେ ଯୁବସମାଜ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି, ଯେଉଁଥିରେ ପ୍ରତ୍ୟେକ ହିନ୍ଦୁ ନିଜକୁ ଏକ ସନାତନୀ ଭାବରେ ପରିଚୟ ଦେବାରେ ସଗର୍ବ ଅନୁଭବ କରୁଛନ୍ତି।

ରାଜ୍ୟ ସରକାର ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ସଂରକ୍ଷିତ ଏବଂ ପ୍ରଚାରିତ କରିବା ଦିଗରେ ସକ୍ରିୟ ଅଛନ୍ତି। ରାଜ୍ୟର ପୁରାତନ ଓ ଐତିହାସିକ ଦୁର୍ଗା ମେଢ଼ମାନଙ୍କୁ ୫୦,୦୦୦ ଟଙ୍କାରୁ ଆରମ୍ଭ କରି ୧,୦୧,୦୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି, ଯାହା ରାଜ୍ୟରେ ଏକ ନୂଆ ଉଦାହରଣ। ଏହିଭଳି, ଶୀତଳଷଷ୍ଠୀ ଯାତ୍ରା, ଧନୁଯାତ୍ରା ଇତ୍ୟାଦି ଲୋକପ୍ରିୟ ଉତ୍ସବ ଏବଂ ମନ୍ଦିର ଓ ମଠମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ମଧ୍ୟ ସରକାର ଆର୍ଥିକ ସହାୟତା ଦେଉଛନ୍ତି। ଏହିସବୁ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଭବିଷ୍ୟତରେ ମଧ୍ୟ ଜାରି ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।