FeaturedLatestNews

ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ, ଜିରୋ କାଜୁଆଲଟି ଲକ୍ଷ୍ୟ

ଭୁବନେଶ୍ୱର (ସଂକେତ ଟିଭି): ଆଉ କିଛି ଘଣ୍ଟା ପରେ ସ୍ଥଳଭାଗରେ ମାଡ଼ ହେବ ବାତ୍ୟା ମୋନ୍ଥା। ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାରେ ପ୍ରବେଶ କରିବ। ତେବେ ବାତ୍ୟାର ମୋନ୍ଥାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ଜିରୋ କାଜୁଆଲଟି ଲକ୍ଷ୍ୟ ନେଇ ବାତ୍ୟା ପ୍ରଭାବିତ ଜିଲ୍ଲାରେ ୨୦୪୮ ଆଶ୍ରୟସ୍ଥଳ ପ୍ରସ୍ତୁତ ହୋଇଛି। ୩୦ଟି ଓଡ୍ରାଫ, ୫ଟି ଏନଡିଆରଏଫ ଓ ୧୨୩ଟି ଅଗ୍ନିଶମ ଦଳ ନିୟୋଜିତ ହୋଇଛନ୍ତି। ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମୁମ୍ବାଇରୁ ଫେରି ଆଜି ମଙ୍ଗଳବାର ବାତ୍ୟା ମୋନ୍ଥାର ମୁକାବିଲା ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, “ପ୍ରତ୍ୟେକ ବିପର୍ଯ୍ୟୟରେ ଆମର ଏକମାତ୍ର ଲକ୍ଷ୍ୟ ହେଉଛି ଜିରୋ କାଜୁଆଲିଟି। ବାତ୍ୟା ଆନ୍ଧ୍ରପ୍ରଦେଶରେ ଅତିକ୍ରମ କରୁଥିଲେ ମଧ୍ୟ ଓଡ଼ିଶାର ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ବ୍ୟାପକ ବର୍ଷା ସହିତ ପବନ ହେବାର ସମ୍ଭାବନା ରହିଛି। ତେଣୁ କୌଣସି ବିପଦ ସଂକୁଳ ଅଞ୍ଚଳରେ ଯେପରି ଜଣେ ବି ଲୋକ ରହିଯିବ ନାହିଁ, ସମସ୍ତେ ବାତ୍ୟା-ବନ୍ୟା ଆଶ୍ରୟ ସ୍ଥଳ କିମ୍ବା ଅନ୍ୟ ସୁରକ୍ଷିତ ସ୍ଥାନାନ୍ତରିତ ହେବେ। ଏହାକୁ ଅଧିକାରୀମାନେ ସୁନିଶ୍ଚିତ କରିବେ।”

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, “ବର୍ତ୍ତମାନ ସମୟ ହେଉଛି ଫସଲ ଅମଳର ସମୟ। ତେଣୁ ବାତ୍ୟା ପରେ ପରେ ତୁରନ୍ତ କ୍ଷୟକ୍ଷତିର ଆକଳନ ହେବ ଏବଂ ଚାଷୀଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରାଯିବ।” ବାତ୍ୟା ପରେ ବିଭିନ୍ନ ଜରୁରୀ ବ୍ୟବସ୍ଥା ତୁରନ୍ତ ପୁନଃକ୍ଷମ କରାଯାଇପାରିବ ସେଥିପାଇଁ ଇଞ୍ଜିନିୟରିଂ ବିଭାଗଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭାଙ୍ଗିଯାଇଥିବା ଗଛ ଯୋଗୁ ରାସ୍ତା ଅବରୋଧ ନହୁଏ ସେଥିପାଇଁ ମଧ୍ୟ ପ୍ରସ୍ତୁତି ନେବାକୁ କୁହାଯାଇଛି।

ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଆଦି ୮ଟି ଜିଲ୍ଲାରେ ବାତ୍ୟାର ସର୍ବାଧିକ ପ୍ରଭାବ ରହିବ। ଏହି ଜିଲ୍ଲାଗୁଡ଼ିକରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଆବଶ୍ୟକ ହେଲେ ଛୁଟି ସୀମା ବଢ଼ାଯିବ। ସମୁଦ୍ର ଓ ପାହାଡ଼ିଆ ଅଞ୍ଚଳରେ ପର୍ଯ୍ୟଟକଙ୍କ ଭ୍ରମଣ ଏବଂ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ନିଷେଧ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ୮ଟି ଜିଲ୍ଲାରେ ୧୧,୩୯୬ ଜଣ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇସାରିଛି। ଆବଶ୍ୟକ ହେଲେ ଆହୁରି ୩୦,୫୫୪ ଜଣଙ୍କୁ ସ୍ଥାନାନ୍ତରିତ କରାଯିବ। ଗର୍ଭବତୀ ମହିଳାଙ୍କ ସୁରକ୍ଷା ପାଇଁ ୧୮୭୧ ଜଣଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି ଏବଂ ଆହୁରି ୮୨୨ ଜଣଙ୍କୁ ନେବାକୁ ଯୋଜନା ରହିଛି। ସମୁଦାୟ ୨୬୯୩ ଜଣ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରିତ କରାଯିବ। ସମସ୍ତ ପ୍ରଭାବିତ ଅଞ୍ଚଳର ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ସାପ କାମୁଡ଼ା ଇଞ୍ଜେକ୍ସନ, ଔଷଧ ଓ ଚିକିତ୍ସା କିଟ ମହଜୁଦ ଅଛି।

ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।