୧୭ରେ ହେବ ଓଡ଼ିଶା ଟିଚର୍ ଏଲିଜିବିଲିଟି ଟେଷ୍ଟ
ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତା ୧୭ ତାରିଖରେ ସାରା ଓଡ଼ିଶାରେ ଓଡ଼ିଶା ଟିଚର୍ ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ପରୀକ୍ଷା ଅନୁଷ୍ଠିତ ହେବ। ମାଧ୍ୟମିକ ଶିକ୍ଷା ପରିଷଦ ଏହି ପରୀକ୍ଷାର ଆୟୋଜନ କରିଛି।
ଏହି ପରୀକ୍ଷାରେ ରାଜ୍ୟର ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିବେ। ଏଥିରେ ବର୍ତ୍ତମାନ ସେବାରେ ଅଛନ୍ତି, ଏବଂ ଆଗାମୀ ସମୟରେ ଶିକ୍ଷକ ହେବାକୁ ଇଚ୍ଛୁକ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହିବେ।
ପରୀକ୍ଷା ପ୍ରକିୟା ସୁଗମ ଓ ପାରଦର୍ଶୀ କରିବା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦର ବୋର୍ଡ କାର୍ଯ୍ୟାଳୟସ୍ଥିତ ଏକ କମାଣ୍ଡ କଣ୍ଟ୍ରୋଲ ରୁମରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ସିଧାସଳଖ ନିରୀକ୍ଷଣ କରାଯିବ।
ପରୀକ୍ଷା ସୁରକ୍ଷିତ ଭାବେ ସଂଚାଳନ କରିବା ପାଇଁ ଆସନ୍ତା ୧୪ ତାରିଖରୁ ଡିଜି ଲକରରେ ପ୍ରଶ୍ନପତ୍ର ଓ ଓଏମଆର ସିଟ ପଠାଯିବ। ରାଜ୍ୟର ୩୦ଟି ଜିଲ୍ଲା ପାଇଁ ୩୯ଟି ଭିନ୍ନ ରୁଟ୍ ନିର୍ଦ୍ଧାରିତ ହୋଇଛି ଏବଂ ଆର୍ମଡ୍ ପୋଲିସ୍ ସହାୟତାରେ ଏହି ପ୍ରଶ୍ନପତ୍ର ପରିବହନ କରାଯିବ। ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ ଉପରୋକ୍ତ ସୂଚନା ଦେଇଛନ୍ତି।
