FeaturedLatestNewsPolitics

ବାଲେଶ୍ବର ଛାତ୍ରୀ ଆତ୍ମହତ୍ୟା ଘଟଣା: ବିରୋଧୀ ଦଳଙ୍କୁ ଆଇନା ଦେଖାଇଲେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବର (ସଂକେତ ଟିଭି): ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ବିରୋଧୀ ଦଳଗୁଡିକ ସରକାରଙ୍କ ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ଏହାକୁ ନେଇ ବିଜେପି ପକ୍ଷରୁ ପ୍ରତ୍ୟୁତ୍ତର ଦିଆଯାଇ କଂଗ୍ରେସ ଏବଂ ବିଜେଡିଙ୍କୁ ପ୍ରଶ୍ନ ଉଠାଯାଇଛି।

ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, “ରାଜପଥରେ ଓହ୍ଲାଇବା ପୂର୍ବରୁ ବିରୋଧୀ ଦଳଗୁଡିକୁ ନିଜ ଶାସନକାଳର କାର୍ଯ୍ୟକଳାପ ଆତ୍ମସମୀକ୍ଷା କରିବା ଉଚିତ୍ ଥିଲା। କଂଗ୍ରେସ ୪୦ ବର୍ଷ ଏବଂ ବିଜେଡି ୨୪ ବର୍ଷ ଧରି ରାଜ୍ୟ ଶାସନ କରିଥିଲେ। ଯଦି ସେମାନେ ମହିଳା ସୁରକ୍ଷା ଏବଂ ସଶକ୍ତିକରଣ ଦିଗରେ ଠୋସ ପଦକ୍ଷେପ ନେଇଥାନ୍ତେ, ଆଜି ଏପରି ଘଟଣା ଘଟି ନଥାନ୍ତା।”

ଦିଲ୍ଲୀରୁ ଆସି ନାଟକବାଜି: ଅପରାଜିତା ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀରୁ ଆସି କଂଗ୍ରେସ ନେତାମାନେ ରାଜ୍ୟରେ ଅଶାନ୍ତି ସୃଷ୍ଟି କରୁଛନ୍ତି। ସେ କହିଛନ୍ତି, “ସେମାନେ କେବଳ ମିଡ଼ିଆ ଏବଂ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରହିବାକୁ ନାଟକ କରୁଛନ୍ତି। ବିଜେଡି ୨୪ ବର୍ଷ ଶାସନ କାଳରେ ମହିଳା ସୁରକ୍ଷା ଦିଗରେ କ’ଣ କରିଥିଲେ? ନବୀନ ପଟ୍ଟନାୟକ କେବେ ପୀଡ଼ିତାଙ୍କୁ ଭେଟିବାକୁ ଯାଇଥିଲେ କି?”

ଅପରାଜିତା କଂଗ୍ରେସକୁ ମଧ୍ୟ ଲକ୍ଷ୍ୟ କରି କହିଛନ୍ତି, “କଂଗ୍ରେସ ୪୦ ବର୍ଷ ଶାସନ କରିଥିଲେ, କିନ୍ତୁ ମହିଳାଙ୍କ ସୁରକ୍ଷା ପାଇଁ କୌଣସି ଠୋସ ବ୍ୟବସ୍ଥା କରିନଥିଲେ। ଏବେ ସେମାନେ ନିଜ ଅସ୍ତିତ୍ୱ ରକ୍ଷା ପାଇଁ ରାଜନୀତି ଖେଳୁଛନ୍ତି।”

ନାଁ ନ ନେଇ ସେ କଂଗ୍ରେସ ନେତ୍ରୀ ଅଳକା ଲାମ୍ବାଙ୍କୁ ଟାର୍ଗେଟ୍ କରି କହିଛନ୍ତି, “ଜଣେ ମହିଳା ନେତ୍ରୀ ଦିଲ୍ଲୀରୁ ଆସି ରାଜ୍ୟରେ ଅଶାନ୍ତି ସୃଷ୍ଟି କରୁଛନ୍ତି। ମହିଳା ସୁରକ୍ଷା ନେଇ କଥା ହେବାର କଂଗ୍ରେସ ଏବଂ ବିଜେଡିଙ୍କ ନୈତିକ ଅଧିକାର ନାହିଁ।”

ଶେଷ ମନ୍ତବ୍ୟ: ଅପରାଜିତା ଷଡ଼ଙ୍ଗୀ ଜୋର୍ ଦେଇ କହିଛନ୍ତି, “ବିରୋଧୀ ଦଳଗୁଡିକ ନିଜ କାର୍ଯ୍ୟକଳାପକୁ ଆତ୍ମସମୀକ୍ଷା କରି ରାଜନୀତି କରିବା ଉଚିତ୍। ନଚେତ୍ ଏପରି ଘଟଣା ଆଗକୁ ମଧ୍ୟ ଘଟିବ।”