ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରି ମହିଳାଙ୍କ ମୃତ୍ୟୁ, ପୁରୁଷ ବନ୍ଧୁ ଗୁରୁତର
ବାରିପଦା (ସଂକେତ ଟିଭି): ମୟୂରଭଞ୍ଜ ଜିଲ୍ଲାର ଶୁକୃଳି ବ୍ଲକ ଅନ୍ତର୍ଗତ ଖିଚିଂ ପଞ୍ଚାୟତର ପତାସାହି ଗ୍ରାମରେ ଏକ ମର୍ମାନ୍ତକ ଘଟଣା ଘଟିଛି। ବିବାହିତା ମହିଳା ଭାରତୀ ପାତ୍ର (୩୦) ଓ ତାଙ୍କ ବନ୍ଧୁ ହରିହର ଆଚାର୍ଯ୍ୟ ପେଟ୍ରୋଲ ଢାଳି ଆତ୍ମହତ୍ୟା ଚେଷ୍ଟା କରିଥିଲେ। ଏଥିରେ ଭାରତୀଙ୍କର ମୃତ୍ୟୁ ହୋଇଥିବା ବେଳେ ହରିହର ଗୁରୁତର ଅବସ୍ଥାରେ କଟକ ରେର୍ଫାଲ ହୋଇଛନ୍ତି।
ଘଟଣାଟି ଆଜି ଭୋର୍ ୭ଟା ସମୟରେ ଘଟିଥିଲା। ଦୀର୍ଘଦିନୀୟ ବନ୍ଧୁତ୍ୱ ଥିବା ଭାରତୀ ଓ ହରିହରଙ୍କ ମଧ୍ୟରେ କିଛି ଅସମଝୋଟ ହେବା ପରେ ଉଭୟେ ପେଟ୍ରୋଲ ଢାଳି ନିଜ ଦେହକୁ ନିଆଁ ଲଗାଇଥିଲେ। ଘର ପଛପଟେ ଘଟଣା ଘଟିବା ସମୟରେ ଗ୍ରାମବାସୀ ଦୁଇଜଣ ନିଆଁ ଲିଭାଇ ଉଭୟଙ୍କୁ ଶୁକୃଳି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଡାକ୍ତର ଭାରତୀଙ୍କୁ ମୃତ ଘୋଷଣା କରିଥିବା ବେଳେ ହରିହରଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକ ପଠାଯାଇଛି।
ଭାରତୀଙ୍କ ପିଛେ ୭ ବର୍ଷ ବୟସ୍କ ଏକ କନ୍ୟା ଅନାଥ ହୋଇଛି। ଏହି ଘଟଣାରେ ଖିଚିଂ ଅଞ୍ଚଳ ଶୋକାକୁଳ ହୋଇପଡିଛି। ଘଟଣାସ୍ଥଳରେ ରରୁଆଁ ଭାରପ୍ରାପ୍ତ ଅଧିକାରୀ ଓ କରଞ୍ଜିଆ ଏସ୍.ଡି.ପି.ଓ. ନବକିଶୋର ନାୟକ ତଦନ୍ତ କରିଛନ୍ତି। ପୋଲିସ ଘଟଣାର କାରଣ ଓ ପରିସ୍ଥିତି ବିଷୟରେ ଗଭୀର ତଦନ୍ତ ଚଳାଇଛନ୍ତି।
