FeaturedLatestNewsPolitics

ବଳଙ୍ଗା ପୋଡ଼ି ଘଟଣାରେ ନ୍ୟାୟ ନମିଳିଲେ ଡିଜିପି କାର୍ଯ୍ୟାଳୟ ଘେରାଉ ହେବ: କଂଗ୍ରେସ

ଭୁବନେଶ୍ଵର (ସଂକେତ ଟିଭି): ବଳଙ୍ଗା ପୋଡ଼ି ଘଟଣାକୁ ଦୁଇ ସପ୍ତାହ ବିତିସାରିଥିଲେ ମଧ୍ୟ ଏତେଦିନ ଭିତରେ ଆମ ଶାସନ ବ୍ୟବସ୍ଥା ଦୋଷୀଙ୍କୁ ଗିରଫ କରିପାରିଲା ନାହିଁ। ଏଥିରୁ ଗୃହ ବିଭାଗ କିଭଳି ପରିଚାଳିତ ହେଉଛି ସ୍ପଷ୍ଟ ଜଣାପଡ଼ୁଛି। ମୁଖ୍ୟମନ୍ତ୍ରୀ କେବଳ ଶୋକବାର୍ତ୍ତା ଦେଇଦେଲେ ହେବ ନାହିଁ, କେତେଦିନ ଭିତରେ ଅପରାଧୀଙ୍କୁ ଗିରଫ କରାଯିବ ଓ ପୀଡ଼ିତାଙ୍କୁ ନ୍ୟାୟ ମିଳିବ ସେ ସଂପର୍କରେ ମତ ରଖନ୍ତୁ।

ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି ଯେ, ଆସନ୍ତା ୭ ଦିନ ଭିତରେ ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ନ ମିଳିଲେ ଡିଜିପି କାର୍ଯ୍ୟାଳୟ ଘେରାଉ କରାଯିବ। ସେ ଗଣମାଧ୍ୟମକୁ କହିଛନ୍ତି ଯେ ପୁଲିସକୁ ରାଜ୍ୟ ସରକାର ଦୁର୍ବଳ କରୁଛନ୍ତି। ଏତେ ବଡ଼ ଘଟଣାକୁ ଘଣ୍ଟ ଘୋଡ଼ାଇ ରାଜ୍ୟ ସରକାର ଖସି ପାରିବେ ନାହିଁ। ଚୋରକୁ ଧରିବା ବଦଳରେ ସରକାର ଚୋର ଭଳି ବ୍ୟବହାର କରୁଛନ୍ତି।

ଶ୍ରୀ ଦାସ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଘଟଣାରେ ଷଡ଼୍‌ଯନ୍ତ୍ର ଥିବା ଭଳି ଲାଗୁଛି। ଅନ୍ୟ ମାମଲାରେ ପୁଲିସ ତତ୍ପରତା ଦେଖାଉଥିବା ବେଳେ ଏହି ଘଟଣାରେ କାହିଁକି ତତ୍ପରତା ଦେଖାଉନାହିଁ। ଏ ପରିସ୍ଥିତିରେ ଜନସାଧାରଣଙ୍କ ସନ୍ଦେହ ସିଧାସଳଖ ସରକାରଙ୍କ ଉପରକୁ ଯିବ। ରାଜ୍ୟରେ ନାରୀ ଅତ୍ୟାଚାରରେ ସୀମା ନାହିଁ। ବିଶ୍ବ ଦରବାରରେ ଓଡ଼ିଶା ଲଜ୍ଜିତ ହେଲାଣି। ହେଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଲଜ୍ଜିତ ଅନୁଭବ କରୁନାହାନ୍ତି।

ସେ ପୀଡ଼ିତାଙ୍କ ବୟାନ ନିଆଯାଇଥିବା ବିଷୟରେ ସନ୍ଦେହ ପ୍ରକାଶ କରିଛନ୍ତି। ଦୁଇଦିନ ତଳେ ପୀଡ଼ିତା ବୟାନ ଦେଇଥିବା କୁହାଯାଇଥିଲା, ମାତ୍ର ଆଜି ତାଙ୍କର ମୃତ୍ୟୁ ହୋଇଛି। ଏହି ପରିସ୍ଥିତିରେ କ୍ଷମତାରେ ଥାଇ ନ୍ୟାୟ ଦେବା ବଦଳରେ ସମବେଦନା ଜଣାଇବାର କିଛି ମୂଲ୍ୟ ନାହିଁ। ସେ ପ୍ରଶ୍ନ କରିଛନ୍ତି ଯେ, ପୀଡ଼ିତାଙ୍କୁ ଦିଲ୍ଲୀ ନେଇ ସତ୍ୟକୁ ଘଣ୍ଟ ଘୋଡ଼ାଇବାର ଚକ୍ରାନ୍ତ କରାଯାଇଛି କି ନାହିଁ। ତୁରନ୍ତ ଦୋଷୀଙ୍କୁ ଗିରଫ କରି ସରକାର ନିଜ ଉପରେ ଲାଗିଥିବା ଦାଗକୁ ହଟାନ୍ତୁ ବୋଲି ସେ ଦାବି କରିଛନ୍ତି।