FeaturedLatestNews

ସରକାରୀ କାର୍ଯ୍ୟକାରିତା ଉନ୍ନତି ପାଇଁ ୧୦ଟି ପଦକ୍ଷେପ ନେଲେ ରାଜ୍ୟ ସରକାର

ଭୁବନେଶ୍ୱର (ସଂକେତ ଟିଭି): ସରକାରୀ କାର୍ଯ୍ୟକାରିତାର ଗୁଣବତ୍ତା ଓ ସୁପାରିଶକୁ ଆହୁରି ଉନ୍ନତ କରିବା ପାଇଁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି ଏକ ସଚିବ ସ୍ତରୀୟ ବୈଠକରେ ୧୦ଟି ମୁଖ୍ୟ ଦିଗ ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଆଇ କ୍ୟାମେରା ପ୍ରୟୋଗ: ସରକାରୀ ଅଫିସଗୁଡ଼ିକରେ ଏଆଇ କ୍ୟାମେରା ଲଗାଯିବ। ପ୍ରଥମେ ଖାରବେଳ ଭବନ ଏବଂ ଲୋକସେବା ଭବନରେ ଏହି ବ୍ୟବସ୍ଥା କରାଯିବ। ପରେ ଜିଲ୍ଲାସ୍ତରୀୟ ସମସ୍ତ ଅଫିସରେ ଏହା ଲାଗୁ ହେବ।

ସମୟସୂଚୀ ପାଳନ: ଅଧିକାରୀମାନେ ନିର୍ଦ୍ଧାରିତ ସମୟରେ ଅଫିସ ଆସିବା ନିଶ୍ଚିତ କରିବାକୁ ଏକ ନୂତନ ପ୍ରଣାଳୀ ବିକଶିତ କରାଯିବ।

କାର୍ଯ୍ୟ ପ୍ରଦର୍ଶନ ମୂଲ୍ୟାୟନ: ଖରାପ ପ୍ରଦର୍ଶନ କରୁଥିବା ଅଧିକାରୀଙ୍କ ଉପରେ ନଜର ରଖାଯିବ। ସେମାନଙ୍କ କାର୍ଯ୍ୟକୁ ନିୟମିତ ମୂଲ୍ୟାୟନ କରାଯାଇ ସୁଧାର ଆଣିବାକୁ ସୁଯୋଗ ଦିଆଯିବ। ଯଦି କୌଣସି ସୁଧାର ଦେଖାନଦେବ, ତେବେ ଆଗୁଆ ଅବସର ଦେବା ପ୍ରସଙ୍ଗ ଉଠିପାରେ।

ମୁଖ୍ୟମନ୍ତ୍ରୀଙ୍କ ୟୁଆଇ ନୋଟ ପ୍ରତିକ୍ରିୟା: ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଆସୁଥିବା ୟୁଆଇ ନୋଟ୍ଗୁଡ଼ିକୁ ତୁରନ୍ତ ପ୍ରତିକ୍ରିୟା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଦୁର୍ନୀତି ନିୟନ୍ତ୍ରଣ: ଦୁର୍ନୀତିର ମୂଳ କାରଣ ଚିହ୍ନଟ କରି ଏଥିପାଇଁ ପ୍ରଭାବଶାଳୀ ପଦକ୍ଷେପ ନିଆଯିବ। ସେବା ପ୍ରଦାନରେ ବିଳମ୍ବର କାରଣ ଅନୁସନ୍ଧାନ କରାଯିବ।

ସିଏମ ଡାସବୋର୍ଡ ଆରମ୍ଭ: ଅକ୍ଟୋବର ମାସରୁ ମୁଖ୍ୟମନ୍ତ୍ରୀଙ୍କ ଡାସବୋର୍ଡ ଚାଲୁ ହେବ, ଯାହା ଦ୍ୱାରା କାର୍ଯ୍ୟ ପ୍ରଗତି ସହଜରେ ଦେଖାଯାଇପାରିବ।

କେନ୍ଦ୍ରୀୟ ସ୍କିମ ମୂଲ୍ୟାୟନ: ପ୍ରତିମାସ ୭ ତାରିଖରେ ଜିଲ୍ଲାପାଳମାନେ କେନ୍ଦ୍ରୀୟ ସ୍କିମର ପ୍ରଗତି ସମୀକ୍ଷା କରିବେ। ୧୨ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ରାଜସ୍ୱ ବିଭାଗର କାର୍ଯ୍ୟ ମୂଲ୍ୟାୟନ ହେବ।

ଖର୍ଚ୍ଚ ନିୟନ୍ତ୍ରଣ: ସମସ୍ତ ବିଭାଗ ସେମାନଙ୍କର ଖର୍ଚ୍ଚ ନିୟନ୍ତ୍ରଣ ଉପରେ ଗୁରୁତ୍ଵ ଦେବେ।

ଫିଲ୍ଡ ଭିଜିଟ ଜରୁରୀ: ଅଧିକାରୀମାନେ ଅଧିକ ଫିଲ୍ଡ ଭିଜିଟ କରି ଜନସାଧାରଣଙ୍କ ସମସ୍ୟା ପ୍ରତ୍ୟକ୍ଷ ଭାବେ ଜାଣିବେ।

ଏନଫୋର୍ସମେଣ୍ଟ ଉପରେ ଗୁରୁତ୍ଵ: ସରକାର ନିୟମ ପାଳନ ନିଶ୍ଚିତ କରିବା ପାଇଁ କଠୋର ପଦକ୍ଷେପ ନେବେ।