FeaturedLatestNews

ଆମ ଶାସନ ନାମକ ଏକ ନୂତନ ବ୍ୟବସ୍ଥା ଆରମ୍ଭ କଲେ ରାଜ୍ୟ ସରକାର 

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଲୋକଙ୍କୁ ମିଳୁଥିବା ସରକାରୀ ସେବା ଉପଲବ୍ଧ ହେଉଛି କି ନାହିଁ ଏବଂ ଲୋକଙ୍କ ମତାମତ ସଂଗ୍ରହ କରିବା ପାଇଁ ‘ଆମ ଶାସନ’ ନାମକ ଏକ ନୂତନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି।

ଏହି ବ୍ୟବସ୍ଥା ଅନୁସାରେ, ଯଦି କୌଣସି ଅଧିକାରୀ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଥାନ୍ତି, ଖରାପ ବ୍ୟବହାର କରିଥାନ୍ତି କିମ୍ବା ଲାଞ୍ଚ ନେଇ କାମ କରୁଥିବା ବିଷୟରେ ଅଭିଯୋଗ ଆସିଲେ, ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହି ପଦ୍ଧତି ପୂର୍ବତନ ବିଜେଡି ସରକାରଙ୍କ ଅମଳରେ ଚାଲୁଥିବା ‘୫-ଟି’ (ପାଞ୍ଚ-ଟି) ମଡେଲ୍ ପରି ହେବ। ତଥାପି, ଏଥିରେ କୌଣସି ଅଧ୍ୟକ୍ଷ କିମ୍ବା ସଚିବ ଭଳି ପଦବି ରହିବ ନାହିଁ। ଲୋକଙ୍କଠାରୁ ଆସୁଥିବା ଅଭିଯୋଗ ଓ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀମାନେ ସିଧାସଳଖ ଶୁଣିବେ।

ଆରମ୍ଭରେ, ୮ଟି ବିଭାଗର ୧୬ଟି ସେବା ଏହି ବ୍ୟବସ୍ଥା ଅଧୀନରେ ଉପଲବ୍ଧ ହେବ। କ୍ରମାଗତ ଭାବେ ଏଥିରେ ପ୍ରାୟ ୨୦ଟି ବିଭାଗର ୧୫୦ରୁ ଅଧିକ ସେବାକୁ ସମ୍ମିଳିତ କରାଯିବ। ସରକାରଙ୍କ ତରଫରୁ ଲୋକଙ୍କ ମୋବାଇଲ୍ ଫୋନ୍‌କୁ ରେକର୍ଡ ହୋଇଥିବା ଏକ କଲ୍ ଆସିବ ଏବଂ ସରକାରୀ ଯୋଜନାମାନଙ୍କ କାର୍ଯ୍ୟକାରିତା ସମ୍ପର୍କରେ ପ୍ରଶ୍ନ ପଚରାଯିବ।

ଏହିସହ ଲୋକଙ୍କ ଠାରୁ ମତାମତ ସଂଗ୍ରହ କରାଯିବ ଏବଂ ଲୋକଙ୍କୁ ଫୋନ୍ କରି ମତାମତ ନିଆଯିବ। ଏସବୁ କାର୍ଯ୍ୟ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଏକ ସ୍ୱତନ୍ତ୍ର କଲ୍ ସେଣ୍ଟର ମଧ୍ୟ ରହିବ।