ମହାପ୍ରଭୁଙ୍କ ଭୂସମ୍ପତ୍ତି ଫେରସ୍ତ ପ୍ରକ୍ରିୟା ଆରମ୍ଭ: ଆଇନ ମନ୍ତ୍ରୀ
ଭୁବନେଶ୍ବର (ସଂକେତ ଟିଭି): ମହାପ୍ରଭୁ ଜଗନ୍ନାଥଙ୍କ ଓଡ଼ିଶା ରାଜ୍ୟ ଏବଂ ରାଜ୍ୟ ବାହାରେ ଥିବା ଭୂସମ୍ପତ୍ତି ଫେରିବ। ଏଥିପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ଆଇନ ମନ୍ତ୍ରୀ କହିଛନ୍ତି ଯେ ମହାପ୍ରଭୁଙ୍କ ପାଖେ ମୋଟ ୫୮ ହଜାର ଏକର ଜମି ରାଜ୍ୟରେ ଏବଂ ରାଜ୍ୟ ବାହାରେ ରହିଛି। ଏଥିରୁ ପ୍ରାୟ ୩୭ ହଜାର ଏକର ଜମିର କାଗଜପତ୍ର ପ୍ରସ୍ତୁତ ହୋଇସାରିଛି। ବାକି ଜମିଗୁଡ଼ିକର କାଗଜପତ୍ର ପ୍ରସ୍ତୁତି କାର୍ଯ୍ୟ ଚାଲିଛି ଏବଂ ସରକାର ଏହି ଦିଗରେ ତ୍ୱରିତ ପଦକ୍ଷେପ ନେଉଛନ୍ତି।
ମହାପ୍ରଭୁଙ୍କର ଯେଉଁସବୁ ସ୍ଥାନରେ ଭୂସମ୍ପତ୍ତି ଅଛି, ତାହାର ଏକ ଠିକ୍ ଆକଳନ କିପରି କରାଯାଇପାରିବ, ସେଥିପାଇଁ ସରକାର ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି। ଆଇନ ମନ୍ତ୍ରୀ ଆହୁରି କହିଛନ୍ତି ଯେ ରାଜ୍ୟ ଏବଂ ରାଜ୍ୟ ବାହାରେ ଥିବା ମହାପ୍ରଭୁଙ୍କ ସମସ୍ତ ସମ୍ପତ୍ତି ଯେପରି ମହାପ୍ରଭୁଙ୍କ କାର୍ଯ୍ୟରେ ବିନିଯୋଗ ହୋଇପାରିବ, ସେଥିପାଇଁ ସରକାର ପଦକ୍ଷେପ ନେଉଛନ୍ତି।