ବିଧାନସଭା ଅଧିବେଶନ ସମୟରେ ସଦର ମହକୁମାରେ ଉପସ୍ଥିତ ରହିବେ ସଚିବ
ଭୁବନେଶ୍ୱର (ସଂକେତ ଟିଭି): ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହେଉଛି। ଅଧିବେଶନ ପୂର୍ବରୁ ବିଭାଗୀୟ ସଚିବଙ୍କ ପାଇଁ ଜାରି ହୋଇଛି ନିର୍ଦ୍ଦେଶନାମା। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ସମସ୍ତ ବିଭାଗୀୟ ସଚିବଙ୍କୁ ଚିଠି ଲେଖି ସଜାଗ ରହିବାକୁ କହିଛନ୍ତି।
ଚିଠିରେ କୁହାଯାଇଛି ଯେ ବିଧାନସଭାରେ ଉଠାଯାଇଥିବା ସମସ୍ତ ପ୍ରସଙ୍ଗର ଉତ୍ତର ସଠିକ୍ ଭାବେ ରଖିବେ ବିଭାଗୀୟ ସଚିବ। ବିଧାନସଭା ସମୟରେ ସମସ୍ତ ସଚିବଙ୍କୁ ସଦର ମହକୁମାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟରେ ସଚିବମାନେ ବିଦେଶ ଯାତ୍ରାରୁ ଦୂରେଇ ରହିବେ ଏବଂ ରାଜ୍ୟ ବାହାରକୁ ଗସ୍ତ ମଧ୍ୟ ଯଥାସମ୍ଭବ ସୀମିତ ରଖିବେ।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ବିଧାନସଭା ପ୍ରଶ୍ନ, ମୂଲତବି ପ୍ରସ୍ତାବ, ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବଗୁଡ଼ିକର ଉତ୍ତର ପାଇଁ ଆବଶ୍ୟକ ତଥ୍ୟ କ୍ଷେତ୍ର କର୍ମଚାରୀମାନେ ଯୋଗାଉଥିବାରୁ ସେମାନଙ୍କୁ ସଦର ମହକୁମାରେ ଉପସ୍ଥିତ ରହିବା ଅତ୍ୟନ୍ତ ଜରୁରୀ। ସେହିପରି ବିଧାନସଭା ସମୟରେ ବିଭାଗୀୟ ସଦର ମହକୁମା କିମ୍ବା ସଚିବାଳୟ ସ୍ତରରେ କୌଣସି ସଭା ଡକାଇ ହେବ ନାହିଁ। ସଭା ବଦଳରେ ଭିଡିଓ କନଫରେନ୍ସିଂ ଜରିଆରେ ନିଷ୍ପତ୍ତି ନିଆଯାଇପାରିବ।
