FeaturedLatestNews

ସୁଭଦ୍ରା ଯୋଜନାରେ ବଞ୍ଚିତ ହିତାଧିକାରୀଙ୍କୁ ନ୍ୟାୟ ଦେବାକୁ ହେବ ଡୋର-ଟୁ-ଡୋର ସର୍ଭେ

ଭୁବନେଶ୍ୱର (ସଂକେତ ଟିଭି): ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ସୁଭଦ୍ରା ଯୋଜନାର ସମୀକ୍ଷା କରିଛନ୍ତି ଏବଂ ଗଣମାଧ୍ୟମକୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ତୃତୀୟ ପର୍ଯ୍ୟାୟରୁ ବଞ୍ଚିତ ହୋଇଥିବା ପ୍ରାୟ ୨ ଲକ୍ଷ ୮୫ ହଜାର ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବା ପାଇଁ ଡୋର ଟୁ ଡୋର ସର୍ଭେ କରାଯିବ ବୋଲି ସେ କହିଛନ୍ତି।

ଏଥିପାଇଁ ଆଗାମୀ ୧୫ ଦିନ ମଧ୍ୟରେ ଅଧିକାରୀମାନେ ଫିଲ୍ଡ ଭିଜିଟ୍ କରି ତଦନ୍ତ ରିପୋର୍ଟ ଦେବେ। ଏହି ପ୍ରକ୍ରିୟା ସହଜ କରିବା ପାଇଁ ଆସନ୍ତା ଦୁଇ ଦିନ ମଧ୍ୟରେ ଏକ ଅଭିଯୋଗ ପୋର୍ଟାଲ୍ ଖୋଲାଯିବ। ବଞ୍ଚିତ ହିତାଧିକାରୀମାନେ ଏହି ପୋର୍ଟାଲ୍ରେ ଅଭିଯୋଗ ଦର୍ଶାଇ ପୁନର୍ବାର ଆବେଦନ କରି ପାରିବେ।

ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ବଞ୍ଚିତ ହିତାଧିକାରୀମାନଙ୍କ ମଧ୍ୟରୁ ୧୫,୯୮୪ ଜଣ ମୃତ ବୋଲି ଚିହ୍ନଟ ହୋଇଥିବା ବେଳେ ବାସ୍ତବରେ ୧,୮୦୫ ଜଣ ଜୀବିତ ଅଛନ୍ତି, ସେମାନଙ୍କୁ ମଧ୍ୟ ଯୋଜନାରେ ସାମିଲ କରାଯିବ। ଅନ୍ୟପକ୍ଷେ, ୩୬,୭୦୨ ଜଣ ଗାଡ଼ି କିଣିଥିବା ଯୋଗୁଁ, ୨୧,୩୫୫ ଜଣ ଆୟକର ଦାଖଲ କରିଥିବା ଯୋଗୁଁ ଏବଂ ୧,୩୩,୬୯୧ ଜଣ ଧାନ ବିକ୍ରି ପଞ୍ଜୀକରଣ କିମ୍ବା କୃଷକ ଭାବେ ପଞ୍ଜୀକୃତ ଥିବା ଯୋଗୁଁ ବାଦ ପଡ଼ିଛନ୍ତି। ଏହି ସମସ୍ତ ତଥ୍ୟ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରାଯିବ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସୁଭଦ୍ରା ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ମିଳିବ। ଅନେକ ଯୋଗ୍ୟ ମହିଳା ହିତାଧିକାରୀ କିମ୍ବା ତାଙ୍କ ରେଶନ କାର୍ଡ଼ ଅଦ୍ୟାବଧି ଅପଡେଟ୍ ନହୋଇଥିବା ଭଳି କାରଣରୁ ବଞ୍ଚିତ ହୋଇଛନ୍ତି। ସେମାନଙ୍କ ବଞ୍ଚିତ ହେବାର କାରଣ ତଦନ୍ତ କରାଯିବ।

ଏହି ଉଦ୍ଦେଶ୍ୟରେ ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପୂର୍ବରୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା ପରିବହନ, ଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ଜରୁରୀ ତଥ୍ୟ ମାଗିଥିଲା। ବାଣିଜ୍ୟ ଓ ପରିବହନ ବିଭାଗକୁ ଚାରିଚକିଆ ବାହନ ଥିବା ମହିଳାଙ୍କ ତଥ୍ୟ, ସ୍ୱାସ୍ଥ୍ୟ ବିଭାଗକୁ ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ କରିବାକୁ ଏବଂ ଖାଦ୍ୟ ଯୋଗାଣ ବିଭାଗକୁ ଧାନ ବିକ୍ରି କରିଥିବା ମହିଳାଙ୍କ ପଞ୍ଜୀକୃତ ଜମିର ରିପୋର୍ଟ ଦେବାକୁ କୁହାଯାଇଥିଲା। ଏହି ତିନି ବିଭାଗର ରିପୋର୍ଟ ଆଧାରରେ ଆଜିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ରିପୋର୍ଟଗୁଡିକ ଯାଞ୍ଚ ହେବା ପରେ ବଞ୍ଚିତ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯିବ।