ଅଳଙ୍କାର ଦୋକାନ ମାଲିକଙ୍କୁ ଆକ୍ରମଣ କରି ଲୁଟି ନେଲେ ୧ କେଜିରୁ ଅଧିକ ସୁନା
ସିମୁଳିଆ (ସଂକେତ ଟିଭି): ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ବଜାରରେ ଘଟିଥିବା ଲୁଟ ଘଟଣାରେ ଅଳଙ୍କାର ଦୋକାନର ମାଲିକଙ୍କୁ ଆକ୍ରମଣ କରି ୧ କିଲୋଗ୍ରାମରୁ ଅଧିକ ମୂଲ୍ୟବାନ ସୁନା ଓ ରୂପା ଅଳଙ୍କାର ଲୁଟ କରାଯାଇଛି। ଲୁଟେରାମାନେ ଧଳା ରଙ୍ଗର ଏକ କାରରେ ଆସି ଏହି ଲୁଟ କରିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ମାର୍କୋଣା ବଜାରରେ ଅବସ୍ଥିତ ବାବାମଣି ଜୁଏଲାରିର ମାଲିକ ପ୍ରଦୀପ ସାହୁ ଦୋକାନ ବନ୍ଦ କରି ରିଆଠାରେ ଥିବା ନିଜ ଘରକୁ ଫେରିବାବେଳେ ଘଟଣାଟି ଘଟିଛି। ସେ ନିଜ ଗାଡ଼ିରୁ ଅଳଙ୍କାର ଭର୍ତ୍ତି ବ୍ୟାଗ ଧରି ଓହ୍ଲାଉଥିବା ମୁହୂର୍ତ୍ତରେ ଅଚାନକ ଧଳା ରଙ୍ଗର ଏକ କାରରୁ ୪ ଜଣ ଦୁର୍ବୁତ୍ତ ଓହ୍ଲାଇ ତାଙ୍କୁ ଆକ୍ରମଣ କରିଛନ୍ତି।
ଆକ୍ରମଣକାରୀମାନେ ଜବରଦସ୍ତି ପ୍ରଦୀପଙ୍କ ହାତରୁ ବ୍ୟାଗ ଛଡ଼ାଇ ନେଇ ଲୁଣ୍ଠନ କରିବା ପରେ ଘଟଣାସ୍ଥଳୀରୁ ପଳାୟନ କରିଛନ୍ତି। ଲୁଟିତ ବ୍ୟାଗରେ ୧ କିଲୋଗ୍ରାମରୁ ଅଧିକ ମୂଲ୍ୟବାନ ସୁନା ଓ ରୂପା ଅଳଙ୍କାର ଥିବା ଅନୁମାନ କରାଯାଉଛି। ଘଟଣାର ତଦନ୍ତ କରୁଥିବା ସିମୁଳିଆ ପୋଲିସ୍ ଆକ୍ରମଣକାରୀମାନଙ୍କୁ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି।
