FeaturedLatestNewsPolitics

ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ ନାହିଁ, ପାର୍ବଣ ପରେ ହୋଇପାରେ ଚର୍ଚ୍ଚା: ବିଜେପି ସଭାପତି

ସମ୍ବଲପୁର (ସଂକେତ ଟିଭି): ଦୀର୍ଘ ଦିନ ଧରି ରାଜ୍ୟ ମନ୍ତ୍ରିମଣ୍ଡଳର ଅଦଳବଦଳ ଓ ସମ୍ପ୍ରସାରଣ ନେଇ ଚର୍ଚ୍ଚା ଚାଲିଥିଲା। କିଛି ବିବାଦୀୟ ମନ୍ତ୍ରୀଙ୍କୁ ହଟାଯିବା ଏବଂ କିଛି ନୂଆ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ବିଷୟରେ ଆଲୋଚନା ହେଉଥିଲା। ହେଲେ, ଏହି ସବୁ ଚର୍ଚ୍ଚାକୁ ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

ଆଜି ସମ୍ବଲପୁରରେ ଗସ୍ତ କାଳୀନ ସାମ୍ବାଦିକମାନଙ୍କୁ ସେ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟ ମନ୍ତ୍ରିମଣ୍ଡଳର କୌଣସି ସମ୍ପ୍ରସାରଣ କିମ୍ବା ଅଦଳବଦଳ ହେବ ନାହିଁ। ସେ କହିଛନ୍ତି, “ନିଗମ ଓ ବୋର୍ଡପାଇଁ ଏବେ ଯୋଜନା ଚାଲିଛି। ଖୁବ୍ ଶୀଘ୍ର ସମ୍ବଲପୁର ଜିଲ୍ଲା ସଭାପତି ଚୟନ ହେବ। ହେଲେ ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ଏବେ ହେବନି।”

ଉଲ୍ଲେଖନୀୟ ଯେ ମୋହନ ଚରଣ ମଜ୍ଜି ସରକାରକୁ ଦେଢ଼ ବର୍ଷ ପୂରିଥିଲେ ବି ଏଯାଏଁ ମନ୍ତ୍ରିମଣ୍ଡଳରେ ୬ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି। କିଛି ମନ୍ତ୍ରୀ ଏକାଧିକ ପଦବି ମାଡ଼ିବସିଥିଲେ ବି ମନ୍ତ୍ରିମଣ୍ଡଳରେ ଅଦଳବଦଳ ହୋଇନାହିଁ। ତେଣୁ ଏହି ଖାଲି ପଦଗୁଡ଼ିକୁ ପୂରଣ କରିବା ପାଇଁ ନୂଆ ମନ୍ତ୍ରୀଙ୍କୁ ଯୋଗକରାଯିବ ବୋଲି ଆଶା କରାଯାଉଥିଲା।

ତେବେ ରାଜ୍ୟ ସଭାପତି ସାମଲ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟରେ ପାର୍ବଣ ପୂର୍ବରୁ ମନ୍ତ୍ରିମଣ୍ଡଳରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏହି ବିବୃତ୍ତି ପରେ ଏଣିକି ପାର୍ବଣ ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳ ଅଦଳବଦଳ ସମ୍ଭାବନା ରହିଲା ନାହିଁ।