ନୂଆପଡ଼ା ଉପ-ନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ
ନୂଆପଡ଼ା (ସଂକେତ ଟିଭି): ଘାସିରାମ ମାଝୀ ନୂଆପଡ଼ା ଆସନରେ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ତାଙ୍କର ନାମାଙ୍କନ କାର୍ଯ୍ୟ ସମ୍ପନ୍ନ ହୋଇଛି।
୨୦୨୪ ର ସାଧାରଣ ନିର୍ବାଚନରେ ସ୍ଵାଧୀନ ପ୍ରାର୍ଥୀ ଭାବେ ଲଢ଼ି ଘାସିରାମ ଦ୍ଵିତୀୟ ସ୍ଥାନ ହାସଲ କରିଥିଲେ। ସେହି ନିର୍ବାଚନରେ ସେଇ ଆଦିବାସୀ ସଂଘର ସମର୍ଥନରେ ୫୧ ହଜାର ଭୋଟ୍ ପାଇଥିଲେ। ନିର୍ବାଚନ ପୂର୍ବରୁ ସେ ଘୋଷଣା କରିଥିଲେ ଯେ ଏହା ତାଙ୍କର ଶେଷ ନିର୍ବାଚନ ଏବଂ ହାରିଲେ ବି ସଂଘ ସହିତ ରହିବେ। କିନ୍ତୁ ପରବର୍ତ୍ତୀ ସମୟରେ କଂଗ୍ରେସରେ ଯୋଗଦାନ ଦେବାର ଚର୍ଚ୍ଚା ଆସିବା ପରେ ଆଦିବାସୀ କଲ୍ୟାଣ ସଂଘ ତାଙ୍କୁ ଏକ ବର୍ଷ ପାଇଁ ବହିଷ୍କାର କରିଛି।
ଗତ ନିର୍ବାଚନରେ ଘାସିରାମ କଂଗ୍ରେସର ଟିକେଟ୍ ପାଇଁ ଦାବିଦାର ଥିଲେ ମଧ୍ୟ, ଦଳ ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା। ଫଳସ୍ୱରୂପ, ଅସନ୍ତୁଷ୍ଟ ଘାସିରାମ ସ୍ଵାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ ଏବଂ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢେଲକିଆଙ୍କ ସହିତ କଠୋର ମୁକାବିଲା କରିଥିଲେ। କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକ ମାତ୍ର ୧୫ ହଜାର ଭୋଟ୍ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ।
ଅନ୍ୟ ପକ୍ଷରେ, ବିଜେପି ନୂଆପଡ଼ା ଉପ-ନିର୍ବାଚନରେ ନିଜ ପ୍ରାର୍ଥୀ ଭାବେ ଜୟ ଢେଲକିଆଙ୍କୁ ଘୋଷଣା କରିଛି। ସ୍ଵର୍ଗତ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢେଲକିଆଙ୍କ ପୁତ୍ର ଜୟ ଗତ ୧୧ ତାରିଖରେ ବିଜେପିରେ ଯୋଗ ଦେଇଥିଲେ। ସେ ୧୬ ତାରିଖରେ ନାମାଙ୍କନ ଦାଖଲ କରିବେ ଏବଂ ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ ବୋଲି କୁହାଯାଉଛି।
