Latest

୨-୧ରେ ବର୍ଡର-ଗାଭାସ୍କର ଟ୍ରଫି ଜିତିଲା ଭାରତ

ଅହମ୍ମଦାବାଦ : (ସଂକେତ ଟିଭି) ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ନିର୍ଣ୍ଣାୟକ ମ୍ୟାଚ୍ ଡ୍ର ହୋଇଛି। ଏଥିସହ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ଭାରତ ୨-୧ରେ ଜିତି ନେଇଛି। ଦ୍ଵିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨ ଓ୍ଵିକେଟ୍ ହରାଇ ୧୭୫ ରନ କରିବା ସହ ପଞ୍ଚମ ଦିନର ଖେଳ ଶେଷ ହୋଇଛି।

ଦ୍ଵିତୀୟ ଇନିଂସରେ ଅଷ୍ଟ୍ରେଲିଆ ପକ୍ଷରୁ ମାର୍ନସ ଲାବୁସେନ ୬୩ ରନ ଏବଂ ଷ୍ଟିଭ୍ ସ୍ମିଥ ୧୦ ରନ କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆର ଦ୍ଵିତୀୟ ଇନିଂସରେ ଟ୍ରେଭିସ୍ ହେଡ୍ ସର୍ବାଧିକ ୯୦ ରନ କରିଛନ୍ତି।

ମ୍ୟାଚ୍‌ରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ଭ୍ରମଣକାରୀ ଦଳ ୪୮୦ ରନ କରିଥିଲା। ଉସ୍ମାନ ଖ୍ଵାଜା ୨୧ ଚୌକା ସହ ୧୮୦ ରନ କରିଥିବା ବେଳେ କ୍ୟାମେରୁନ ଗ୍ରୀନ ୧୧୪ ରନର ଶତକୀୟ ଇନିଂସ ଖେଳିଥିଲେ। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ଵିନ ୯୧ ରନ ଦେଇ ସର୍ବାଧିକ ୬ ଓ୍ଵିକେଟ୍ ଦଖଲ କରିଥିଲେ। ଜବାବରେ ଭାରତ ପ୍ରଥମ ଇନିଂସରେ ୫୭୧ ରନ କରିଥିଲା। ଦଳ ପକ୍ଷରୁ ବିରାଟ କୋହଲି ୧୮୬ ରନର ଦମଦାର ଇନିଂସ ଖେଳିଥିବା ବେଳେ ଶୁଭମନ ଗିଲ୍ ୧୨୮ ରନ କରିଥିଲେ। ଅକ୍ଷର ପଟେଲ୍ ୭୯ ରନ କରିଥିଲେ। ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ରବିଚନ୍ଦ୍ରନ ଅଶ୍ଵିନ ୬ ଓ୍ଵିକେଟ୍ ଦଖଲ କରିଥିଲେ। ୧୮୬ ରନର ଦମଦାର ଇନିଂସ ଖେଳିଥିବା ବିରାଟ କୋହଲି ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିବା ରବୀନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ଵିନ ପ୍ଲେୟାର ଅଫ ଦ ସିରିଜ୍ ବିବେଚିତ ହୋଇଛନ୍ତି।