FeaturedLatestNewsPolitics

୪ ଜୁନରେ ବିଜେଡି ସରକାରର ଏକସ୍ପାରି ଡେଟ୍ : ମୋଦୀ

ବ୍ରହ୍ମପୁର (ସଂକେତ ଟିଭି) : ଜୁନ୍ ୪ ତାରିଖରେ ଏଠାରେ ବିଜେଡି ସରକାରର ଏକସ୍ପାରି ଡେଟ୍ ଲେଖାଯାଇଛି। ଜୁନ୍ ୧୦ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ହେବ। ମୁଁ ବିଜେପିର ଶପଥ ସମାରୋହ ଲାଗି ନିମନ୍ତ୍ରଣ ଦେବାକୁ ଆସିଛି। ବ୍ରହ୍ମପୁର ନିକଟସ୍ଥ କନିସି ଛକରେ ଜନସଭାରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି।

ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଞ୍ଜିନ ସରକାର। ଓଡ଼ଶା ବିଜେପିକୁ ମୁଁ ଧନ୍ୟବାଦ ଦେଉଛି ଯେ ସେମାନେ ଉତ୍ତମ ଘୋଷଣାପତ୍ର ଜାରି କରିଛନ୍ତି। ଏଥିରେ କୃଷକଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କୁ ଲାଭ ମିଳିବ। ବିଜେପି ଯାହା କହେ, ତାହା କରିକି ଦେଖାଏ। ଏହା ହେଉଛି ମୋଦୀ ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି । ସେ କହିଛନ୍ତି ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କ ଭଳି ନୁହେଁ, ଓଡ଼ିଆରେ ଚିଠି ଲେଖିବି।

ମୋଦୀ କହିଥିଲେ ଯେ ଜଳ ଜୀବନ ମିଶନରେ କେନ୍ଦ୍ର ୧୦ ହଜାର କୋଟି ଦେଇଛି। ଉକ୍ତ ଟଙ୍କାକୁ ଏଠା ସରକାର ଠିକ ଭାବେ ଖର୍ଚ୍ଚ କରିପାରିଲେନି।ମୋଦୀ ସରକାର ମାଗଣା ଚାଉଳ ଦେଉଛି, ଏଠାକାର ବିଜେଡି ସରକାର ସେଥିରେ ନିଜ ଫଟୋ ଛାପୁଛି। ନିଜେ ବିଜେଡି ସରକାର କିଛି କରିନାହାନ୍ତି, ତେଣୁ ଏଭଳି ବେଇମାନୀ କରିବାକୁ ପଡୁଛି। ଓଡ଼ିଶା ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିପାରୁନି। ବିଜେଡି ସରକାର ଏଠାରେ ଆୟୁଷ୍ମାନ ଯୋଜନା ଲାଗୁ କରାଉନାହାନ୍ତି। ଲୋକଙ୍କୁ ଚିକିତ୍ସା ମିଳିନପାରିବାର ଦୋଷୀ ଏଠାର ବିଜେଡି ସରକାର।

ଗତ ୫୦ ବର୍ଷ ଧରି କଂଗ୍ରେସ ଏବଂ ୨୫ ବର୍ଷ ଧରି ବିଜେଡି ସରକାର ଅଛି। ଓଡିଶା ପାଖରେ ଭରପୁର ପାଣି ଅଛି, ଖଣିଜ ପଦାର୍ଥ ମଧ୍ୟ ଅଛି। ଏତେ ଲମ୍ବା ସମୁଦ୍ର ତଟ ବି ଅଛି । ହେଲେ ଏହାପରେ ବି, ଏତେ ଧନୀଶାଳୀ ଓଡ଼ିଶା କାହିଁକି ଗରିବ ରହିଗଲେ ବୋଲି ମୋଦୀ ପ୍ରଶ୍ନ କରିଛନ୍ତି। ଓଡ଼ିଶା ଧନୀ, କିନ୍ତୁ ଲୋକ ଗରିବ। ପ୍ରଥମେ କଂଗ୍ରେସ ଓ ତା ପରେ ବିଜେଡି ନେତାଙ୍କ ଲୁଟ୍ ଏହାର କାରଣ। ବିଜେଡିର ଛୋଟ ଛୋଟ ନେତା ବି ବଡ଼ ବଡ଼ ବଙ୍ଗଳାର ମାଲିକ ହେଇସାରିଲେଣି। ମୁଖ୍ୟମନ୍ତ୍ରୀଙ୍କ କ୍ଷେତ୍ରରୁ ସବୁଠୁ ଅଧିକ ଲୋକ ଦାଦନ ଖଟୁଛନ୍ତି। ଏଠାକାର ଅଧିକାଂଶ ଡାକ୍ତରଖାନାରେ ଡାକ୍ତର ପଦ ଖାଲି । ପିଲାମାନେ ଅଧାରୁ ପାଠ ଛାଡୁଛନ୍ତି। ହିଞ୍ଜିଳିରେ ଶୀତଳ ଭଣ୍ଡାର ମଧ୍ୟ ନାହିଁ। ମୋଦୀ ଓଡ଼ିଶାର ବିକାଶ ପାଇଁ ବଜେଟ କେବେ କମ୍ କରିନି ବୋଲି କହିଛନ୍ତି ମୋଦୀ।

ଏହି ସାଧାରଣ ସଭାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ଆସ୍କା ଲୋକସଭା ପ୍ରାର୍ଥୀ ଅନିତା ଶୁଭଦର୍ଶିନୀ ପ୍ରମୁଖ ଉଦବୋଧନ ଦେଇଛନ୍ତି।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ। ଗତକାଲି ରାତିରେ ରାଜଭବନରେ ରାତ୍ରିଯାପନ କରିଥିଲେ। ଆଜି ସ୍ବତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁରରେ ପହଞ୍ଚିଥିଲେ।