FeaturedGeneralLatest

ବାବା ରାମଦେବ ଓ ବାଲକ୍ରିଷ୍ଣାଙ୍କୁ ହାଜର ହେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ (ସଂକେତ ଟିଭି) : ଆୟୁର୍ବେଦିକ କମ୍ପାନୀ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା ଓ ବାବା ରାମଦେବଙ୍କୁ ପରବର୍ତ୍ତୀ ଶୁଣାଣିରେ ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତକାରି ବିଜ୍ଞାପନକୁ ନେଇ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ତାଙ୍କ ବିରୋଧରେ ଅବମାନନା କାର୍ଯ୍ୟ କାହିଁକି ଆରମ୍ଭ ହେବ ନାହିଁ ବୋଲି କୋର୍ଟ ବାବା ରାମଦେବଙ୍କୁ ପଚାରିଛନ୍ତି।

ରୋଗର ଚିକିତ୍ସା ଉପରେ ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ସୁପ୍ରିମକୋର୍ଟ ପତଞ୍ଜଳି ଏବଂ ବାଲକ୍ରିଷ୍ଣାଙ୍କୁ ଅବମାନନା ନୋଟିସ୍ ପଠାଇ ଜବାବ ମାଗିଥିଲେ, ଯାହାର ସେମାନେ କୌଣସି ଉତ୍ତର ରଖିନାହାନ୍ତି। ଜଷ୍ଟିସ୍ ହିମା କୋହଲି ଓ ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲାହଙ୍କ ଖଣ୍ଡପୀଠ କମ୍ପାନୀ ଓ ବାଲକ୍ରିଷ୍ଣା ଅଦାଲତଙ୍କ ଦ୍ବାରା ପୂର୍ବରୁ ଜାରି କରାଯାଇଥିବା ନୋଟିସ୍‌ର ଜବାବ ଦାଖଲ କରିବାରେ ବିଫଳ ହେବାକୁ ନେଇ କଡ଼ା ଆପତ୍ତି ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍(ଆଇଏମ୍ଏ) ଅଭିଯୋଗ କରିଥିଲା ଯେ, ପତଞ୍ଜଳି କୋଭିଡ -୧୯ ଟୀକାକରଣ ବିରୁଦ୍ଧରେ ଏକ ବଦନାମ କରିବା ଭଳି ଅଭିଯାନ ଚଳାଇଥିଲା। ଏହା ଉପରେ କୋର୍ଟ ଚେତାବନୀ ଦେଇଥିଲେ ଯେ, ପତଞ୍ଜଳି ଆୟୁର୍ବେଦ ପକ୍ଷରୁ ମିଥ୍ୟା ଏବଂ ବିଭ୍ରାନ୍ତିକର ବିଜ୍ଞାପନ ତୁରନ୍ତ ବନ୍ଦ କରାଯାଉ। ନିର୍ଦ୍ଦିଷ୍ଟ ରୋଗକୁ ଠିକ୍‌ କରିବା ନେଇ ମିଥ୍ୟା ଦାବି କରୁଥିବା ପ୍ରତ୍ୟେକ ଉତ୍ପାଦ ପାଇଁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହେବାର ସମ୍ଭାବନା ଥିବା କହିଥିଲେ। କୋଭିଡ୍‌-୧୯ ମହାମାରୀ ସମୟରେ ଆଲୋପାଥିକ୍ ଫାର୍ମାସ୍ୟୁଟିକାଲ୍ସ ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ଆଇଏମ୍ଏ ଦ୍ୱାରା ଦାଖଲ ହୋଇଥିବା ଅପରାଧିକ ମାମଲାର ସମ୍ମୁଖୀନ ହୋଇଥିବା ରାମଦେବ ଏହି ମାମଲା ରଦ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।