LatestNewsPolitics

ସରକାର ଗଢିବା ପାଇଁ ବିଜେଡିକୁ ମେଣ୍ଟର ଆବଶ୍ୟକତା ନାହିଁ : ପାଣ୍ଡିଆନ୍

ଭୁବନେଶ୍ବର (ସଂକେତ ଟିଭି) : ଓଡିଶାରେ ସରକାର ଗଠନ ପାଇଁ ବିଜେଡିକୁ କୌଣସି ମେଣ୍ଟର ଆବଶ୍ୟକତା ନାହିଁ । ଏଭଳି ଏକ ବଡ ବୟାନ ଦେଇଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ସେ କହିଛନ୍ତି ଯେ, ଅନେକ ସମୟରେ ରାଜନୈତିକ ଦଳମାନେ ମେଣ୍ଟ କରିଥାନ୍ତି ନିର୍ବାଚନ ଜିତିବାକୁ କିମ୍ବା ନିର୍ବାଚନ ଗଣିତକୁ ପ୍ରଭାବିତ କରିବାକୁ । କିନ୍ତୁ ଉଭୟ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ଜିତିବାକୁ ମେଣ୍ଟର ଆବଶ୍ୟକତା ନାହିଁ । ଅର୍ଥାତ ଦେଶରେ ଶାସନକୁ ଫେରିବାକୁ ବିଜେପିକୁ ବିଜେଡିର ଆବଶ୍ୟକତା ନାହିଁ କି ରାଜ୍ୟରେ ଶାସନକୁ ଫେରିବା ପାଇଁ ବିଜେପିର ସହଯୋଗର ଆବଶ୍ୟକତା ନାହିଁ ।

ଦିଲ୍ଲୀରେ ଏକ ଘରୋଇ ଟିଭି ଚ୍ୟାନେଲ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ରାଜ୍ୟ ଏବଂ ଦେଶରେ ଆଗାମୀ ନିର୍ବାଚନ ନେଇ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ। ଏହି ଅବସରରେ ସେ କହିଛନ୍ତି ଯେ, ନବୀନ ପଟ୍ଟନାୟକ ମୋ ଗୁରୁ। ତାଙ୍କୁ ଠାରୁ ମୁଁ ବହୁତ କିଛି ଶିଖିଛି । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶକୁ ନେଇ ମୁଁ କାମ କରିଆସୁଛି । ଆଗକୁ ମଧ୍ୟ କରିଚାଲିବି । ସର୍ବଦା ରାଜ୍ୟବାସୀଙ୍କ ପାଇଁ କାମ କରିଆସିଛନ୍ତି ନବୀନ ପଟ୍ଟନାୟକ । ତାଙ୍କ ଠାରୁ ଆହୁରି ବହୁତ କିଛି ଶିଖିବାର ଅଛି । ଗଣତନ୍ତ୍ର ପଦ୍ଧତିରେ ସର୍ବାଧିକ ଥର ଜିତିଥିବା ନେତା ।

ଲୋକପ୍ରିୟତା ପାଇଁ ପ୍ରତିଥର ନିର୍ବାଚନରେ ତିନି ଚତୁର୍ଥାଂଶ ଭୋଟରେ ଜିତୁଛନ୍ତି ମୁଖ୍ୟମନ୍ତ୍ରୀ । ନିକଟରେ ଶେଷ ହୋଇଥିବା ପଂଚାୟତ ନିର୍ବାଚନରେ ବିଜେଡି ୯୫ ପ୍ରତିଶତ ଆସନରେ ଜିତିଛି । ଏହି ଦୁଇ ବ୍ୟକ୍ତିତ୍ବଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ରହିଛି । ସେମାନେ ରାଜନୀତି ଠାରୁ ଉର୍ଦ୍ଧ୍ୱକୁ ଯାଇ ରାଷ୍ଟ୍ରର ଉନ୍ନତି ପାଇଁ ଚିନ୍ତା କରୁଛନ୍ତି । ଏହା ଦୁଇ ରାଷ୍ଟ୍ରନାୟକଙ୍କ ମଧ୍ୟରେ ଏକ ଉତ୍ତମ ସମ୍ପର୍କର ଉଦାହାରଣ । ଏଥିରେ କୌଣସି ରାଜାନୀତି ନାହିଁ । ତେବେ ମେଣ୍ଟ ନେଇ କିଛି ହେଲେ ସମସ୍ତେ ଜାଣିପାରିବେ ବୋଲି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନ୍ୟୁଜ-୧୮ର ରାଇଜିଂ ଭାରତ କନକ୍ଲେଭରେ କହିଛନ୍ତି।

ସେପଟେ ପାଣ୍ଡିଆନଙ୍କ ଏହି ବୟାନ ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି। ଦିଲ୍ଲୀରେ ପାଣ୍ଡିଆନ ଦେଇଥିବା ବୟାନ, ବିଜେଡି ଓ ବିଜେପି ମଧ୍ୟରେ ଥିବା ସମ୍ପର୍କକୁ ସ୍ପଷ୍ଟ କରିଛି ବୋଲି ସେ କହିଛନ୍ତି । ଉଭୟ ଦଳ ମିଶିକି ଅଛନ୍ତି । ନବୀନଙ୍କ ଯଦି ସାହାସ ଅଛି, ତେବେ ମେଣ୍ଟ ହେବ ନାହିଁ ବୋଲି ଘୋଷଣା କରନ୍ତୁ । ରାଜ୍ୟରେ ପ୍ରମୁଖ ବିରୋଧୀ ବିଜେପି ଓ ଶାସକ ବିଜେଡି ଏକାଠି ହେବେ, ଏହା କେଉଁ ଭଳି ରାଜନୀତି ବୋଲି ସେ କହିଛନ୍ତି ।